ପାଣିରେ ବୁଡ଼ି ଛାତ୍ର ମୃତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ପାଣି ଖେଳ ହେଲା କାଳ । କଲେଜ ଛୁଟିରେ ସାଙ୍ଗସାଥୀଙ୍କ ସହ ଆସି ନଦୀରେ ଗାଧୋଉ ଥିବାବେଳେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଏସ. ମୁରଲୀ କ୍ରିଷ୍ଣା(୭) । ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଇନ୍ଦ୍ରାବତୀ ନଦୀରେ ଘଟିଛି । ମିଳିଥିବା ରିପୋର୍ଟ ମୁତାବକ, ସହରରେ ରହୁଥିବା ୩ଜଣ ସାଙ୍ଗ ମିଶି ନଦୀକୁ ଗାଧୋଇବା ପାଇଁ ଆସିଥିବାବେଳେ ସେଥିମଧ୍ୟରୁ ଜଣେ ହଠାତ ଗଭୀର ପାଣି ଭିତରକୁ ପଶି ଯାଇଥିଲେ । ପିଲାଟି ବୁଡ଼ିଯିବା ଦେଖି ଅନ୍ୟ ୨ ସାଙ୍ଗ ଟୋଲ ଫ୍ରି ନମ୍ବରକୁ ଜଣାଇବା ପରେ ଅଗ୍ନିଶମ ବିଭାଗର ଅଧିକାରୀ କମଳାକାନ୍ତ ଦାସଙ୍କ ସମେତ ବହୁ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ପରେ ପିଲାଟିକୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ନବରଙ୍ଗପୁର ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।