ପରୀକ୍ଷା ଆଳରେ ଛାତ୍ରଛାତ୍ରୀଙ୍କୁ ଠକେଇ: ‘ଇନ୍-ସାୟାର’ର ୩ କର୍ମଚାରୀ ଥାନାରେ ଅଟକ

ଦେବଗଡ,ଏନଏନଏସ : ବିଜ୍ଞାନ ଓ ଗଣିତ ଅଲମ୍ପିୟାଡ ପରୀକ୍ଷା କରାଇବା ନାମରେ ଦେବଗଡ ଜିଲ୍ଲା ବିଭିନ୍ନ ପଂଚାୟତର ଛାତ୍ର ଛାତ୍ରୀମାନଙ୍କ ଠାରୁ ଅର୍ଥ ଆଦାୟ କରିବା ପରେ ନିର୍ଦ୍ଧାରୀତ ତାରିଖ ଓ ସମୟରେ ପରୀକ୍ଷା ନାମରେ ଅର୍ଥ ଆଦାୟ କାରୀ ସଂସ୍ଥା ଇନ-ସାୟାର ର କୈାଣସି କର୍ମଚାରୀ ଙ୍କ ଦେଖା ନଥିବା ବେଳେ ନିର୍ଦ୍ଧାରିତ ସ୍ଥାନରେ ସଂସ୍ଥା ପକ୍ଷରୁ କୈାଣସି ଅନୁମତି ନେଇ ନ ଥିବାରୁ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇ ନ ପାରି ନିରାଶ ହୋଇ ଫେରିଥିବା ଜଣାପଡଛି।

ସେହିପରି ଏହି ଘଟଣାକୁ ନେଇ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ଅର୍ଥ ଆଦାୟ କରିଥିବା ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ଖୋଜି ଆଣି ଅଟକ ରଖିବା ସହ ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ପୈାରାଞ୍ଚଳ ଅନ୍ତର୍ଗତ ମହିଳା ମହାବିଦ୍ୟାଳୟନିକଟସ୍ଥ ଇନ-ସାୟାର ୟୁନିଭରସାଲ ସ୍କୃଲ ପକ୍ଷରୁ ଦେବଗଡ ଜିଲ୍ଲାର ବିଭିନ୍ନ ବ୍ଲକର ପଂଚାୟତଗୁଡିକର ଛାତ୍ରଛାତ୍ରୀମାନଙ୍କୁ ନେଇ ସେମାନଙ୍କ ମଧ୍ୟରେ ବିଜ୍ଞାନ ଓ ଗଣିତ ଅଲମ୍ପିୟାଡ ପରୀକ୍ଷା କରାଇବା ନାମରେ ଶହେ ଟଙ୍କା ଲେଖାଏଁ ଅସୁଲି କରାଯାଇଥିଲା।

ସେହିପରି ଆଜି(ରବିବାର) ଦିନ ସଂସ୍ଥା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଚୟନ କରାଯାଇ ସେଠାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରୀକ୍ଷାର୍ଥୀ ଓ ଅଭିଭାବକଙ୍କୁ ସୂଚନା ଦିଆଯାଇଥିଲା। ଆଜି ପୂର୍ବାହ୍ନରେ ବାରକୋଟ ବ୍ଲକ ଅନ୍ତର୍ଗତ କୁଣ୍ଡାପୀଠା ଗ୍ରାମ ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଠାରେ ପ୍ରାୟ ଦେଢ ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ମାତ୍ର ବିଦ୍ୟାଳୟରେ ତାଲା ଝୁଲୁଥିବା ଦେଖି ଅଭିଭାବକମାନେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ପ୍ରଧାନଙ୍କୁ ଡାକି ବିଦ୍ୟାଳୟରେ ପରୀକ୍ଷା ସମ୍ପର୍କରେ ପଚାରିବାରୁ ଶ୍ରୀ ପ୍ରଧାନ ତାଙ୍କ ପାଖରେ କୈାଣସି ସୂଚନା ନ ଥିବା ଏବଂ କେହି ତାଙ୍କୁ ଯୋଗାଯୋଗ କରି ନ ଥିବା ସେ କହିଥିଲେ। ଆଜି ଛୁଟି ଦିବସ ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବା ପ୍ରକାଶ କରିବା ପରେ ଗ୍ରାମରେ ଉତ୍ତେଜନା ଦେଖା ଯିବା ସହ ଗ୍ରାମବାସୀମାନେ ଠକାମୀର ଶୀକାର ହୋଇଥିବା ଅଭିଯୋଗ କରିଥିଲେ।

ଇନ-ସାୟାର ସଂସ୍ଥା ପକ୍ଷରୁ ଉକ୍ତ ଅଂଚଳରେ ଅର୍ଥ ସଂଗ୍ରହ କରିଥିବା ନାରାୟଣ ସାହୁ ନାମକ ଉକ୍ତ ସଂସ୍ଥାର କର୍ମଚାରୀକୁ ବିଦ୍ୟାଳୟ ସମ୍ମୁଖରେ ଅଟକ ରଖିଥିଲେ। ପରେ ଗ୍ରାମବାସୀମାନେ ଦେବଗଡ ଥାନା ପୁଲିସକୁ ସୂଚନା ଦେଇଥିଲେ। ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ସେଠାରୁ ସଂସ୍ଥାର କର୍ମଚାରୀ ନାରାୟଣ ସାହୁ ଏବଂ ତାଙ୍କର ଅନ୍ୟ ୨ ଜଣ ସହଯୋଗୀଙ୍କୁ ଥାନାକୁ ନେଇ ଆସିଥିଲେ।

ଘଟଣା ସମ୍ପର୍କରେ ଇନ-ସାୟାର ସଂସ୍ଥାର ଅଧ୍ୟକ୍ଷ ଇଂ ପ୍ରଦୀପ କୁମାର ସାହୁଙ୍କ ମତାମତ ନେବାରୁ ସେ ସରକାରୀ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବାରୁ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଏଭଳି କାର୍ଯ୍ୟକ୍ରମ କରୁଥିବା ପ୍ରକାଶ କରିବା ସହ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇ ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପ୍ରକାଶ କରିଥିଲେ। ଏହାସହ ସାମ୍ବାଦିକଙ୍କୁ ଆକ୍ଷେପମୂଳକ ଟିପ୍ପଣୀ ଦେଇଥିଲେ। ତେବେ ଇନ-ସାୟାରର ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସମେତ ତାଙ୍କ ଅନ୍ୟ ୩ ଜଣ ସହଯୋଗୀ ଦେବଗଡ ଥାନାରେ ଅଟକ ଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଘଟଣାର ଗମ୍ଭୀରତାକୁ ନେଇ ଦେବଗଡ ଥାନା ପୁଲିସ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଦେବଗଡ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।