ବୈଶିଙ୍ଗା,ଏନ୍ଏନ୍ଏସ୍: ମେର୍ଦ୍ଦାନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ଦାବୀରେ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଛନ୍ତି । ୧୯୭୪ ମସିହାରେ ନିର୍ମିତ ଏହି ବିଦ୍ୟାଳୟଟି ଆଜି ପ୍ରଶାସନ ଅବହେଳା ଯୋଗୁ ଜରାଜୀର୍ଣ ଅବସ୍ଥାରେ ପଡ଼ି ରହିଛି । ବିଦ୍ୟାଳୟରେ ପ୍ରତିଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବାବେଳେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବା ଅଭିଯୋଗ ହୋଇଛି । ୪ଟି ଶ୍ରେଣୀ ଗୃହରୁ ୨ଟି ଗୃହର ଅବସ୍ଥା ଶୋଚନୀୟ ରହିଛି । ଖରାଦିନର ପ୍ରବଳ ଗୁଳୁଗୁଳି ମଧ୍ୟରେ ୮ଟି ଶ୍ରେଣୀର ସମସ୍ତ ପିଲା ମୋଟ ୨ଟି ଶ୍ରେଣୀ ଗୃହରେ ପଢ଼ୁଛନ୍ତି । ଅନୁରୂପ ଭାବେ ୮ଟି ଶ୍ରେଣୀ ପାଇଁ ମୋଟ ୪ଜଣ ଶିକ୍ଷକ ଥିବାରୁ ଅଷ୍ଟମ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇପାରୁନି । ଫଳରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ତଥା ଶିକ୍ଷକ ନିଯୁକ୍ତି ଦାବୀ ନେଇ ଆଜି ବିଦ୍ୟାଳୟ କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ଦାସ ଓ ଗାଁ କମିଟିର ସମ୍ପାଦକ କରୁଣାକର ମହାପାତ୍ରଙ୍କ ସମେତ ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ଖରାରେ ଧାରଣାରେ ବସିଥିବା ଜଣାପଡ଼ିଛି ।