ଶିକ୍ଷକ ବଦଳି ପ୍ରତିବାଦରେ ଢୋଲପଡ଼ା ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ପରିଚାଳନା କମିଟୀ ସଦସ୍ୟ

ଦେବଗଡ଼,ଏନ୍ଏନ୍ଏସ୍: ଶିକ୍ଷକଙ୍କ ବଦଳି ପ୍ରତିବାଦରେ ତିଲେଇବଣୀ ବ୍ଲକ୍ ଅନ୍ତର୍ଗତ ଢୋଲପଡ଼ା ୟୁଜିଏମଇ ସ୍କୁଲରେ ଅଭିଭାବକ ଓ ପରିଚାଳନା କମିଟିର ସଦସ୍ୟମାନେ ସ୍କୁଲରେ ତାଲା ପକାଇଛନ୍ତି। ଫଳରେ ସ୍କୁଲରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିଭାବକମାନଙ୍କ ସହ ସ୍କୁଲ ସମ୍ମୁଖରେ ବସି ରହିଛନ୍ତି। ସୂଚନା ପାଇଁ ସିଆର ସିସି ଦିଲ୍ଲୀପ ନାୟକ ଘଟଣାସ୍ଥଳରେ ପହଞ୍ଚି ଅଭୀଭାବକମାନଙ୍କ ସହ ଆଲୋଚନା କରିଥିଲେ। ମାତ୍ର କୌଣସି ସମାଧାନ ବାହାରି ନ ପାରିବାରୁ ସ୍କୁଲରେ ତାଲା ଖୋଲାଯାଇ ପାରିନାହିଁ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଗଡନାଏକଙ୍କ ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ୧୧୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ବିଦ୍ୟାଳୟରେ ୬ଜଣ ଶିକ୍ଷକଙ୍କୁ ନିଯୁକ୍ତି ହୋଇଥିଲା।

ଗତ ମାସ ଉକ୍ତ ବିଦ୍ୟାଳୟରୁ ଶିକ୍ଷକ ମେଘନାଦ ରଞ୍ଜିତଙ୍କୁ ତାଳକୁଣ୍ଡି ବିଦ୍ୟାଳୟକୁ ବଦଳି ଆଦେଶ ଆସିବା ପରେ ତାଙ୍କୁ ବିଦ୍ୟାଳୟରୁ ରିଲିଭ କରାଯାଇଥିଲା। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ କିଛି ଅଭିଭାବକ ଶିକ୍ଷକ ରଞ୍ଜିତଙ୍କ ରିଲିଭକୁ କିଛିଦିନ ପାଇଁ ବାତିଲ କରିବା ସହ ତୁରନ୍ତ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରିବାକୁ ଦାବି କରି ପ୍ରଧାନଶିକ୍ଷକ ଓ ବିଇଓଙ୍କ ଠାରେ ଫେରାଦ ହୋଇଥିଲେ। ତେବେ ଏହାର ଏକ ମାସ ସମୟ ଅତିବାହିତ ହେଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ସମାଧାନ ହୋଇପାରିନାହିଁ। ଫଳରେ ଆଜି ପୂର୍ବାହ୍ଣରୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ବସି ରହିଛନ୍ତି। ଏ ସମ୍ପର୍କରେ ତିଲେଇବଣୀ ବ୍ଲକ୍ ଶିକ୍ଷା ଅଧିକାରୀ ସିକେନ୍ଦ୍ରୀୟ ଛତ୍ରିଆ ମତାମତ ନେବାରୁ ବିଦ୍ୟାଳୟରେ ସିକ୍ଷାଦାନରେ କୌଣସି ଅସୁବିଧା ନ ଥିବା ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଶିକ୍ଷକ ରହିଥିବାବେଳେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି କେହି ଜଣେ ଏଭଳି ପରିସ୍ଥିତ ସୃଷ୍ଟି କରିଥିବା ପ୍ରକାଶ କରିଥିଲେ।