ଟୋଲ ଫି’ ଛାଡ଼ ଦାବିରେ ବିଛୁପାଲି ଟୋଲ ଗେଟରେ ବିକ୍ଷୋଭ

ବଲାଙ୍ଗିର,ଏନ୍ଏନ୍ଏସ୍: ଟୋଲ ଗେଟ ଫି’ ଛାଡ଼ ଦାବିରେ ବଲାଙ୍ଗିର ଟୋଲ ଗେଟ ୟୁଜର୍ସ ଆସୋସିଏସନ ତରଫରୁ ବିଛୁପାଲି ଟୋଲ ଗେଟ ସାମ୍ନାରେ ଆଜି ସକାଳୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବଲାଙ୍ଗିର ଓକିଲ ସଂଘର ଆବାହକତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ବଲାଙ୍ଗିରର ସମସ୍ତ ପ୍ରମୁଖ ସଂଗଠନ ଯୋଗଦେଇ ବିଛୁପାଲି ଟୋଲଗେଟକୁ ଅବରୋଧ କରାଯିବା ସହ ସୋନପୁର ୫୭ନଂ ଜାତୀୟ ରାଜପଥକୁ ବନ୍ଦ କରିଦିଆଯାଇଛି। ରାଜପଥକୁ ବନ୍ଦ କରି ଦିଆଯାଇଥିବା ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି।

ବଲାଙ୍ଗିର ସୋନପୁର ରାଜପଥର ବିଛୁପାଲି ଠାରେ ଏନଏଚଏଆଇ ତରଫରୁ ଏକ ଟୋଲ ଗେଟ ସ୍ଥାପନ କରାଯାଇ ଏପ୍ରିଲ ୧ ରୁ ଟୋଲ ଆଦାୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଓକିଲ ସଂଘର ଆବାହକତ୍ୱରେ ସହରର ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସେହିକ୍ରମରେ ଆଜି ସହରର ସମସ୍ତ ପ୍ରମୁଖ ସଂଗଠନ ଏକତ୍ରିତ ହୋଇ ଏହାର ବିରୋଧ କରିଛନ୍ତି।

ବଲାଙ୍ଗିର ଆର୍ଥିକ ସ୍ତରରେ ପଛୁଆ ଓ କେବିକେ ଜିଲ୍ଲା ହୋଇଥିବା ବେଳେ ଏଠାରେ ଟୋଲ ଫି ଆଦାୟ କରାଯାଇ ଲୋକଙ୍କ ଉପରେ ଅର୍ଥ ବୋଝ ଲଦି ଦିଆଯାଉଛି। ଏହି ଅନୈତିକ ଟୋଲ ଆଦାୟ ବଲାଙ୍ଗିର ବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ। ତେଣୁ ଏହି ଟୋଲ ଗେଟରେ ବଲାଙ୍ଗିର ବାସୀଙ୍କ ପାଇଁ ଫି’ ଛାଡ଼ କରାଯାଉ ବୋଲି ଦାବି କରାଯାଇଛି। ଟୋଲ ଗେଟ ୟୁଜର୍ସ ଆସୋସିଏସନର ଏହି ଦାବିକୁ ଜିଲ୍ଲାର ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେଡି ସମର୍ଥନ ଜଣାଇଛନ୍ତି। ଦୁଇ ଘଣ୍ଟା କାଳ ରାସ୍ତା ବନ୍ଦ ହେବା ପରେ, ଜିଲ୍ଲା ପ୍ରଶାସନ ବଲାଙ୍ଗିର ବାସୀଙ୍କ ପାଇଁ ଟୋଲ ଫି’ ଛାଡ଼ କରିବା ସହ ଆନ୍ଦୋଳନରୁ ଓହରି ସବିଶେଷ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ। ଫଳରେ ସଙ୍ଘ ପ୍ରଶାସନ ସହ ଆଲୋଚନା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି।