ମାଲକାନଗିରିର ସମସ୍ତ ପ୍ରବେଶ ପଥରେ କଡ଼ା ଯାଞ୍ଚ

ମାଲକାନଗିରି,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହର ଯୋଗୁ ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ପ୍ରବେଶ ପଥରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଛତିଶଗଡ଼ ସୀମାକୁ ସିଲ କରାଯାଇଥିବା ବେଳେ ଛତିଶଗଡ଼ରୁ ମାଲକାନଗିରି ଆସୁଥିବା ଯାତ୍ରୀଙ୍କୁ ୭୨ ଘଣ୍ଟା ମଧ୍ୟରେ କରାଯାଇଥିବା କୋଭିଡ ପରୀକ୍ଷା ଓ ୨ଟି ଡୋଜ ଟିକା ନେଇଥିବା ପ୍ରମାଣପତ୍ର ଦେଖାଇବାକୁ କୁହାଯାଉଛି। ନଚେତ ମାଲକାନଗିରି ଜିଲ୍ଲାକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ଅନ୍ୟପଟେ ଆନ୍ଧ୍ରପ୍ରଦେଶ ସୀମାନ୍ତ ମାଲକାନଗିରି ଜିଲ୍ଲା ମୋଟୁ ଚେକ ପଏଣ୍ଟରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଆସୁଥିବା ବିଭିନ୍ନ ଯାତ୍ରୀଙ୍କ ପଞ୍ଜିକରଣ କରି ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ କରୋନା ପରୀକ୍ଷା ଓ ଟିକାକରଣ ବାବଦରେ ପଚାରି ବୁଝୁଛନ୍ତି। ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଜିଲ୍ଲାର ଗୋବିନ୍ଦପାଲ୍ଲୀ ଫାଟକ ନିକଟରେ ବିଡିଓ, ତହସିଲଦାର, ପିଇଓଙ୍କ ସହ ମାସ୍କ ଯାଞ୍ଚ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିସହିତ ଜନସାଧାରଣଙ୍କୁ କୋଭିଡ ନିୟମ ମାନି ସମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବାକୁ ସଚେତନ କରାଯାଉଛି।