ସଇଁନ୍ତଲା ବ୍ଲକରେ ପୁଲିସର କଡ଼ା ପେଟ୍ରୋଲିଂ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଆଜି ଶେଷ ଦିନରେ ପହଞ୍ଚିଛିି । ଏଭଳି ସ୍ଥିତିରେ ପୁଲିସ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ପ୍ରତ୍ୟେକ ପଞ୍ଚାୟତରେ କଡ଼ା ପେଟ୍ରୋଲିଂ ମଧ୍ୟ କରୁଛି । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ୨୨ଟି ପଞ୍ଚାୟତରେ ଆସନ୍ତା ୨୪ ତାରିଖରୁ ନିର୍ବାଚନ ହେବାକୁ ଯାଉଥିବାବେଳେ ବ୍ଲକ ପ୍ରଶାସନ ଓ ପୁଲିସ ପ୍ରଶାସନର ଉପସ୍ଥିତିରେ ଭୋଟ ଗଣତି କେନ୍ଦ୍ରଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ ୨୭୨ଟି ମତାମତ ସେଣ୍ଟର, ୭ଟି ପିଙ୍କ ବୁଥ ରହିଥିବାବେଳେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ସ୍ଥାନୀୟ ବିଡ଼ିଓ ଚନ୍ଦ୍ର ମଣୀ ନାଗ, ନିର୍ବାଚନ ପର୍ଯ୍ୟବେକ୍ଷିକା ରୀନା କୁମାରୀ ନାୟକ, ତହସିଲଦାର ସୁରେନ୍ଦ୍ର ମେହେର, ଥାନାଧିକାରୀ ଅବନୀ ସାହୁ ଓ ଏବିଡିଓ ପ୍ରଦୀପ ପଟ୍ଟନାୟକ ବ୍ଲକ କର୍ମଚାରୀଙ୍କ ସହଯୋଗରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୨୨ଟି ପଞ୍ଚାୟତରେ ୧୧୯ ସରପଞ୍ଚ, ୪୫୨ ୱାର୍ଡ ସଭ୍ୟ, ୯୫ ସମିତି ସଭ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ବ୍ଲକର ବିଭିନ୍ନ ସ୍ଥାନରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ସହକାରେ ମତଦାନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିବା ନେଇ ଟିଟିଲାଗଡ଼ ଏସଡିପିଓ ଶ୍ରୀଯୁକ୍ତ ଶତପଥୀ ସୂଚନା ଦେଇଛନ୍ତି ।