ଗୁଗୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ବେଙ୍ଗାଲୁରୁ,ଏଜେନ୍ସି: ଗୁଗୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ କର୍ଣ୍ଣାଟକ ସରକାର। କନ୍ନଡକୁ ଗୁଗୁଲରେ ସର୍ଚ୍ଚ କରିବା ପରେ ଏହା ଭାରତର ସବୁଠୁ ଖରାପ ଭାଷା ଭାବରେ ଦର୍ଶାଉ ଥିବାରୁ ଗୁଗୁଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର।

ଏହା ଅତ୍ୟନ୍ତ ନିନ୍ଦନୀୟ ବିଷୟ। ଯଦି ଗୁଗୁଲ କିମ୍ବା ଅନ୍ୟ କେହି କନ୍ନଡ ଭାଷାକୁ ଅବମାନନା କରନ୍ତି କିମ୍ବା କନ୍ନଡଙ୍କୁ ଅପମାନ କରନ୍ତି ତେବେ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କର୍ଣ୍ଣାଟକର ଜଙ୍ଗଲ ଏବଂ ସଂସ୍କୃତି ମନ୍ତ୍ରୀ ଅରବିନ୍ଦ ଲିମ୍ବାୱାଲୀ କହିଛନ୍ତି। ସେ କହିଛନ୍ତି ଯେ ଆଇନ ବିଭାଗ ସହିତ ପରାମର୍ଶ ପରେ ସଂସ୍କୃତି ବିଭାଗର ସଚିବଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ତୁରନ୍ତ ଗୁଗୁଲକୁ ନୋଟିସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉତ୍ତରରେ ଗୁଗୁଲ୍ ମୁଖପାତ୍ର କହିଛନ୍ତି ଯେ ‘ସର୍ଚ୍ଚ ସର୍ବଦା ଠିକ୍ ଆସେନାହିଁ। ବେଳେବେଳେ, ଇଣ୍ଟରନେଟରେ କିଛି ବିଷୟକୁ ନେଇ ସର୍ଚ୍ଚ କରିବା ପରେ ତାହା ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଇପାରେ। ଆମେ ଜାଣୁ ଏହା ଠିକ୍ ନୁହେଁ, କିନ୍ତୁ ଯେତେବେଳେ ଆମେ ଏ ସମସ୍ୟା ବିଷୟରେ ଜାଣୁ ସେତେବେଳେ ଆମେ ସଚେତନ ହୋଇଥାଉ ଏବଂ ଆମର ଆଲଗୋରିଦମକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁ। ସେତେବେଳେ ଆମେ ଶୀଘ୍ର ସଂଶୋଧନ କାର୍ଯ୍ୟ ଗ୍ରହଣ କରିଥାଉ। ଗୁଗୁଲ ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏହା ଗୁଗୁଲର ମତାମତକୁ ପ୍ରତିଫଳିତ କରୁନାହିଁ ଏବଂ ଭୁଲ ବୁଝାମଣା ଏବଂ କାହାର ଭାବନାକୁ ଆଘାତ ଦେଇଥିବାରୁ ଆମେ କ୍ଷମା ପ୍ରାର୍ଥନା କରୁଛୁ।’