ଦେଓଗାଁ,ଏନ୍ଏନ୍ଏସ୍: ବରିଷ୍ଠତା ଭିତ୍ତିରେ ଶିକ୍ଷକଙ୍କୁ ମିଳିଛି ପ୍ରଧାନଶିକ୍ଷକ ପଦୋନ୍ନତି। ବର୍ଷ ବର୍ଷ ଧରି ଯେଉଁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ଥିଲା ସେହି ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ପାଇଁ ଶିକ୍ଷକଙ୍କୁ ପ୍ରମୋସନ ମିଳିଛି। ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ପଦୋନ୍ନତି ପାଇଁ ଚିଠି କରିବା ପରେ ବଲାଙ୍ଗିର ଜିଲ୍ଲାର ୮୮ ଜଣ ଶିକ୍ଷକ ପ୍ରଧାନଶିକ୍ଷକ ହେବାର ସୁଯୋଗ ପାଇଛନ୍ତି। ସେମାନଙ୍କୁ ଉକ୍ତ ସ୍କୁଲରେ ୧୮ ତାରିଖ ମଧ୍ୟରେ ଯୋଗଦେବାକୁ କୁହାଯାଇଛି। ତେବେ ଏହି ତାଲିକା ମଧ୍ୟରେ ମୃତ୍ୟୁ ବରଣ କରିବାର ବର୍ଷେ ପରେ ୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଦେଖାଯାଇଛି।
ବଲାଙ୍ଗିର ଜିଲ୍ଲାର ୮୮ ଜଣ ଶିକ୍ଷକଙ୍କ ପଦୋନ୍ନତି ତାଲିକାର ୨୭ ନମ୍ବର ସ୍ଥାନରେ ରହିଛନ୍ତି ଗୁଡ଼ଭେଲା ବ୍ଲକ ଡାହିମାଲ ହାଇସ୍କୁଲର ଶିକ୍ଷକ ଯଦୁମଣି ମେହେର। ଶ୍ରୀ ମେହେର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ସ୍କୁଲରେ ଦାୟିତ୍ବ ତୁଲାଉଥିବା ବେଳେ ଗତ ଜୁଲାଇ ୭ ତାରିଖରେ ବାଇକ୍ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମାଧ୍ୟମିକ ଶିକ୍ଷା ବିଭାଗର ପଦୋନ୍ନତି ତାଲିକାର ଶ୍ରୀ ମେହେରଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି।
ସେହିପରି ପ୍ରଧାନଶିକ୍ଷକ ପଦୋନ୍ନତି ତାଲିକାର ୪୮ତମ ସ୍ଥାନରେ ରହିଛନ୍ତି ତୁଷୁରା ବାଳିକା ହାଇସ୍କୁଲର ଶିକ୍ଷକ ସତ୍ୟପିର ମିଶ୍ର। ସେ ବର୍ଷେ ତଳେ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ତାଙ୍କୁ ମଧ୍ୟ ସେହି ସ୍କୁଲର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି। ମୃତ୍ୟୁ ପରେ ପଦୋନ୍ନତିକୁ ସହଜରେ ଲୋକେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ଲୋକେ ଶିକ୍ଷା ବିଭାଗର ଅଜବ ନୀତି ବୋଲି ସମାଲୋଚନା କରୁଛନ୍ତି। ମୃତ ଶିକ୍ଷକମାନଙ୍କ ମାସିକ ଦରମା ଟଙ୍କା ବି ଉଠାଣ କାରି ଭାଗ ବଣ୍ଟା କରୁଥିବା ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।