ଇମ୍ରାନଙ୍କ ଏଫଏଟିଏଫ୍ ବୟାନ: ପାକିସ୍ତାନର ଅର୍ଥନୀତି ଭୁଶୁଡ଼ିଯିବ

ଇସଲାମାବାଦ, ଏଜେନ୍ସି : ଆତଙ୍କୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ ଅଭିଯୋଗରେ ଥରେ କଳାତାଲିକାଭୁକ୍ତ ହୋଇଗଲେ, ପାକିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ସ୍ୱୀକାର କରିଛନ୍ତି। ଏକ ଘରୋଇ ଚାନେଲକୁ ସାକ୍ଷାତକାର ଦେଇ ଇମ୍ରାନ କହିଛନ୍ତି ଯେ ପାକିସ୍ତାନ ଥରେ ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ) କଟକଣାର ଶିକାର ହୋଇଗଲେ, କୌଣସି ଆନ୍ତର୍ଜାତିକ ଆର୍ଥିକ ସଂଗଠନ ପାକିସ୍ତାନକୁ ଟଙ୍କାଟିଏ ସାହାଯ୍ୟ କରିବେନି। ପାକିସ୍ତାନକୁ ଇରାନ ଅବସ୍ଥା ଭୋଗିବାକୁ ପଡ଼ିବ। ଡଲାର ତୁଳନାରେ ପାକିସ୍ତାନର ରୁପୀ ଥରେ ବିନିମୟ ମୂଲ୍ୟ ହରାଇଲେ, ତାକୁ ପୂର୍ବ ସ୍ଥିତିକୁ ଫେରାଇଆଣିବା ଅସମ୍ଭବ ପ୍ରାୟ ହୋଇଯିବ। ପାକିସ୍ତାନର ବିଜୁଳି ଶୁଳ୍କ, ଗ୍ୟାସ୍, ପେଟ୍ରୋଲିୟମ ସବୁକିଛି ମହଙ୍ଗା ହୋଇଯିବ।

ପ୍ୟାରିସସ୍ଥିତ ଏଫଏଟିଏଫ୍ ସଂସ୍ଥାର ଆଗାମୀ ବୈଠକ ଅକ୍ଟୋବରରେ ହେବାକୁ ଯାଉଛି। ଉକ୍ତ ବୈଠକରେ ପାକିସ୍ତାନକୁ କଳାତାଲିକାଭୁକ୍ତ କରାଯିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପାକିସ୍ତାନ ଏଫ୍ଏଟିଏଫ୍ର ଗ୍ରେ ତାଲିକାଭୁକ୍ତ ଅଛି। ପାକ୍ ସରକାର ଆତଙ୍କୀ ସଂଗଠନକୁ ଆର୍ଥିକ ସହାୟତା ଦେଉଥିବାର ବଳିଷ୍ଠ ପ୍ରମାଣ ଏଫଏଟିଏଫ ନିକଟରେ ରହିଛି। ପୂର୍ବ ବୈଠକରେ ପାକିସ୍ତାନକୁ ଦୁଇ ଦୁଇଥର ଚରମବାଣୀ ଶୁଣାଇ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାକ୍ ସରକାରଙ୍କ ଆତଙ୍କୀ ପ୍ରୀତିରେ ଭଟ୍ଟା ପଡ଼ିନାହିଁ। ଏଫଏଟିଏଫ କଳାତାଲିକାଭୁକ୍ତ ହେଲେ, ପାକିସ୍ତାନର ବାର୍ଷିକ ୧୦ ବିଲିୟନ ଡଲାରର ଆର୍ଥିକ ସାମ୍ରାଜ୍ୟ ମାଟିରେ ମିଶିଯିବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି।