ବେଙ୍ଗାଲୁରୁରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼

ବେଙ୍ଗାଲୁରୁ,ଏଜେନ୍ସି: ପୁଣି ସାମ୍ନାକୁ ଆସିଲା ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ ଘଟଣା । ବିହାର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ କୋଲକାତାରେ ଏପରି ଘଟଣା ପରେ ଏବେ କର୍ଣ୍ଣାଟକରେ ବନ୍ଦେ ଭାରତକୁ ପଥର ମାଡ ହୋଇଛି । ମହୀଶୂର-ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ ହୋଇଥିବା ବେଳେ ଟ୍ରେନର ଦୁଇଟି ଝରକା କାଚ ଭାଙ୍ଗିଥିବା ସୂଚନା ମିଳିଛି । କେହି ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।

ଶନିବାର କ୍ରିଷ୍ଣରାଜପୁରମ୍ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନ ମଧ୍ୟରେ ଏହି ଘଟଣା ଘଟିଛି । ପଥର ମାଡରେ କେହି ଯାତ୍ରୀ ଆହତ ହୋଇନାହାନ୍ତି । ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବାର ଅନେକ ଘଟଣା ସାମ୍ନାକୁ ଆସିଛି । ଆରପିଏଫ୍ ଚଳିତ ବର୍ଷ ଜାନୁଆରୀରେ ୨୧ଟି ପଥର ମାଡ ଘଟଣା ଏବଂ ଫେବୃଆରୀରେ ଦକ୍ଷିଣ ପଶ୍ଚିମ ରେଳବାଇର ବେଙ୍ଗାଲୁରୁ ଡିଭିଜନରେ ୧୩ଟି ମାମଲା ରୁଜୁ କରିଛି ।

ଗତବର୍ଷ ନଭେମ୍ବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁ କ୍ରାନ୍ତିବୀର ସଙ୍ଗୋଲି ରାୟନ୍ନା ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଯାହାକି ଦେଶର ପଞ୍ଚମ ବନ୍ଦେ ଭାରତ ଟ୍ରେନ ସହ ଦକ୍ଷିଣ ଭାରତର ପ୍ରଥମ ଟ୍ରେନ । ଏହି ଟ୍ରେନ ମହୀଶୂର-ବେଙ୍ଗାଲୁରୁ-ଚେନ୍ନାଇ ସହରକୁ ଯୋଡି ହୋଇଛି ।