ରମାଦେବୀ ବିଶ୍ୱବିଦ୍ୟାଳୟରେ ଖୋଲିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ ସେଣ୍ଟର

ଭୁବନେଶ୍ବର,ଏନ୍ଏନ୍ଏସ୍: ରମାଦେବୀ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ରମାଦେବୀ ବିଶ୍ବବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବଟିକ ସେଣ୍ଟର ଖୋଲିବାକୁ ଯାଉଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ରମାଦେବୀ ବିଶ୍ବବିଦ୍ୟାଳ କୁଳପତିଙ୍କୁ ମତ ରଖିବାକୁ ଚିଠି ଲେଖିଛନ୍ତି । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗକୁ ଭୁବନେଶ୍ବର ଆଇଆଇଟି ପ୍ରସ୍ତାବ ଦେଇଛି ।

ରାଜ୍ୟରେ ଶିକ୍ଷାର ଉନ୍ନତି ନେଇ ସରକାର ସର୍ବଦା ପ୍ରାୟାସ କରୁଛନ୍ତି । ଦେଶ ଏବଂ ବିଦେଶରେ ଦିନକୁ ଦିନ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଓ ରୋବୋଟିକ ସେଣ୍ଟରର ଚାହିଦା ବଢ଼ିବାରେ ଲାଗିଛି । ରାଜ୍ୟରେ ଥିବା ଏକମାତ୍ର ମହିଳା ସରକାରୀ ବିଶ୍ବବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ରେବୋଟିକ୍ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ବର ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଏହି ପ୍ରସ୍ତାବ ଦିଆଯାଇଛି । ଏନେଇ ସ୍ନାତକ ଡିଗ୍ରୀଧାରୀ ଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇ ସେମାନେ କିଭଳି ଭାବରେ ରୋଜଗାରକ୍ଷମ ଓ ସ୍ବାବଲମ୍ବୀ ହୋଇପାରିବେ ତାହା ମୁଖ୍ୟ ଲକ୍ଷ୍ୟ ରଖାଯାଇଛି ।

ଆଇଆଇଟି ଭୁବନେଶ୍ବର ପକ୍ଷରୁ ଏହି ପ୍ରସ୍ତାବ ଦିଆଯିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରମାଦେବୀ ବିଶ୍ଵବିଦ୍ୟାଳୟରେ ରୋବୋଟିକ କେନ୍ଦ୍ର ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତ ଲୋଡିଛି । ରାଜ୍ୟ ସରକାର ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । କିଭଳି ଭାବରେ ପିଲାମାନେ ଶିକ୍ଷାକ୍ଷେତ୍ରରେ ଆଗକୁ ବଢିବେ ସେନେଇ ସ୍କୁଲ ଓ ବିଶ୍ଵବିଦ୍ୟାଳୟସ୍ତରରେ ଉନ୍ନତି କାର୍ଯ୍ୟ କରାଯାଉଛି । ରାଜ୍ୟରେ ସ୍କୁଲ ରୂପାନ୍ତରଣ ପରି ସ୍ମାର୍ଟ କ୍ଲାସ ରୁମ୍ ଓ ବିଶ୍ଵବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।