ଆଇସିସି ମହିଳା ଟି-୨୦ ବିଶ୍ବକପ୍‌: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଫାଇନାଲ ଫାଇଟ

କେପଟାଉନ,ଏଜେନ୍ସି: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପର ଅଷ୍ଟମ ସଂସ୍କରଣ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି (ରବିବାର) ମହିଳା ଟି ଟ୍ବେଣ୍ଟି ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ । ଘରୋଇ ଦକ୍ଷିଣ ଆଫ୍ରିକା ଓ ଡିଫେଣ୍ଡିଂ ଚମ୍ପିଅନ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ । ୫ମ ଥର ଟାଇଟଲ ହାସଲ କରିଥିବା ଅଷ୍ଟ୍ରେଲିଆ ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ଥିବାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଟ୍ରଫି ହାସଲ ଲକ୍ଷ୍ୟରେ ରହିଛି । ଅଷ୍ଟ୍ରେଲିଆ ପ୍ରଥମ ସେମି ଫାଇନାଲରେ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ବିତୀୟ ସେମି ସମରରେ ଇଂଲଣ୍ଡକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ସ୍ଥାନ ପକ୍କା କରିଥିଲା । ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହେବ ଫାଇନାଲ ଫାଇଟ ।

ଅଷ୍ଟ୍ରେଲିଆ ଭାରତକୁ ୫ ରନରେ ପରାସ୍ତ କରି ସପ୍ତମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ମହିଳା ଟି ଟ୍ବେଣ୍ଟିରେ ଅଷ୍ଟ୍ରେଲିଆ ସବୁଠୁ ସଫଳ ଦଳ । ପ୍ରଥମ ସଂସ୍କରଣକୁ ଛାଡି ବାକି 6ଟି ସଂସ୍କରଣରେ ଫାଇନାଲ ଖେଳିଛି ଅଷ୍ଟ୍ରେଲିଆ । ୨୦୧୦, ୨୦୧୨, ୨୦୧୪ରେ କ୍ରମାଗତ ୩ ଥର ଚମ୍ପିଅନ ହୋଇଥିଲା । ୨୦୧୬ରେ ୱେଷ୍ଟଇଣ୍ଡିଜଠୁ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା । ୨୦୧୮ ଓ ୨୦୨୦ରେ ଟାଇଟଲ ହାସଲ କରିଥିଲା । ଫାଇନାଲ ମୁକାବିଲାରେ ଆସଲି ଗାର୍ଡନର, ବେଥ ମୁନି ଓ ଅଧିନାୟିତକା ମେଗ ଲାନିଂଙ୍କ ଉପରେ ନଜର ରହିବ ।

ଦ୍ବିତୀୟ ସେମି ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 6 ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଟାଇଟଲ ବିଜୟ ସହ ଘରୋଇ ମାଟିରେ କଙ୍ଗାରୁ ଦଳକୁ ମାତ ଦେବାକୁ ଲକ୍ଷ୍ୟ ରହିଛି ସାଉଥ ଆଫ୍ରିକା । ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଘରୋଇ ଗ୍ରାଉଣ୍ଡରେ ସମର୍ଥକଙ୍କ ଗହଣରେ ଅଷ୍ଟ୍ରେଲିଆ ବିଜୟଧାରାରେ ବ୍ରେକ ଦେବା ଲକ୍ଷ୍ୟରେ ରହିଛି । ଦଳର ଷ୍ଟାର ଓପନର ଲାଓର ଉଲଭାର୍ଟ, ତାଜମିନ ବ୍ରିଟ୍ସ ଓ ପେସ ବୋଲର ସବନିମଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଫାଇନାଲ ଫାଇଟ ରୋମାଞ୍ଚକର ହେବ ।