ଫରକ୍କାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ, ଯାତ୍ରୀ ଭୟଭୀତ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼ ଥମିବାର ନାଁ ନେଉନାହିଁ । ଉଦଘାଟନ ପରଠାରୁ ୩ରୁ ୪ ଥର ପଥରମାଡ ହୋଇଖିବା ବେଳେ ଗତକାଲି(ଶନିବାର) ପୁଣି ପଥର ମାଡ ହୋଇଛି । ଏନେଇ ପୂର୍ବ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ଜଲପାଇଗୁଡିରୁ ହାଓ୍ବଡା ଆସୁଥିବା ସମୟରେ ମୁର୍ସିଦାବାଦ ଜିଲ୍ଲାର ଫରକ୍କା ବ୍ରିଜ ନିକଟରେ କେହି ଅଜଣା ଦୁର୍ବୃତ୍ତ ପଥର ମାଡ କରିଥିବା ବେଳେ ଟ୍ରେନ ଭିତରେ ରହିଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ପଥରମାଡ ଫଳରେ ଟ୍ରେନର ସି-୧୩ କୋଚର ଝରକା ଭାଙ୍ଗିଯାଇଥିବା ନେଇ ରେଳ ଅଧିକାରୀ କହିଛନ୍ତି । ତେବେ ଏନେଇ ପୂର୍ବ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ କୌଶିକ ମିତ୍ର କହିଛନ୍ତି, “ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଘଟଣାର ତଦନ୍ତ କରାଯିବ । ଏହାସହ ଭବିଷ୍ୟତରେ ଯେମିତି ଏଭଳି ଆଉଥରେ ନହୁଏ ସେଥିପାଇଁ ଲୋକଙ୍କୁ ଜାଗ୍ରତ କରାଯିବ । ରେଳ ବିଭାଗ ପକ୍ଷରୁ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।