ଓକିଲଗୁଡ଼ା ପଥର ଖାଦାନ ବିସ୍ଫୋରଣ ମାମଲା, ଗୁଣପୁର ତହସିଲଦାରଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

ରାୟଗଡ଼ା,ଏନ୍ଏନ୍ଏସ୍: ଗତ ଶୁକ୍ରବାର ଦିନ ଓକିଲଗୁଡ଼ା ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇ ରାୟଗଡ଼ା ଜିଲ୍ଲାପାଳ, ଆରଆଇ, ଦୁଇଜଣ ଏଆରଆଇଙ୍କ ସହ ଗୁଣପୁର ତହସିଲଦାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟସରକାରଙ୍କୁ ସୁପାରିଶ କରିଥିଲେ। ଆଜି ରାଜ୍ୟ ରାଜସ୍ୱ ତଥା ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ସଚିବ ଚିଠି ନମ୍ବର-୩୦୭୮୮ରେ ଗୁଣପୁର ତହସିଲଦାର ଲକ୍ଷ୍ଣୀନାରାୟଣ ସାବତଙ୍କୁ ନିଲମ୍ବିତ କରିବା ସହ ତାଙ୍କୁ ରାୟଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ନେଇ ରାୟଗଡ଼ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଠାରେ ସୂଚନା ଯୋଗ୍ୟ କି ଗୁଣପୁର ସହରର ଉପକଣ୍ଠରେ ଥିବା ଓକିଲଗୁଡା ପଥର ଖାଦାନକୁ ସରକାରଙ୍କ ବିନା ଅନୁମତିରେ ବିସ୍ଫୋରଣ ସାଙ୍ଗକୁ ଲିଜ ଅନୁମତି କିପରି ରାଜସ୍ୱ ବିଭାଗ ପକ୍ଷରୁ ମିଳିଥିଲା ସେ ନେଇ ରାୟଗଡ଼ା ଏସପି, ଏଡ଼ିଏମ ଏବଂ ଗୁଣପୁର ଉପଜିଲ୍ଲାପାଳଙ୍କ ଏକ ବିସ୍ତୃତ ରିପୋର୍ଟ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରଯାଇଥିଲା।

ସେହିପରି ସଦର ଆରଆଇ ସନ୍ତୋଷ କୁମାର ପଣ୍ଡା, ଏଆରଆଇ ସନ୍ତୋଷ କୁମାର ଦାଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟ ଜଣେ ଏଆରଆଇ ଅନୁପ କୁମାର ମାର୍ଥାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିପରି ଗୁଣପୁର ଅତିରିକ୍ତ ତହସିଲଦାର କୁଶଗରଡ଼ା ଏବଂ ରାଜସ୍ୱ ପରିଦର୍ଶକ ଶରତ ଚନ୍ଦ୍ର ଆନନ୍ଦଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା।