ଚୋରୀ ସାମଗ୍ରୀ ଉଦ୍ଧାର, ୫ ଚୋର ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଦୁର୍ଲଗା ଉଚ୍ଚ ପ୍ରଥାମିକ ବିଦ୍ୟାଳୟରୁ ଗତ ୧୬ ତାରିଖରେ ବିଭିନ୍ନ ସାମଗ୍ରୀ ଚୋରୀ କରିଥିବା ୫ଜଣ ଚୋରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ ଏଥିରେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ ବାଳ ସୁଧାରଗୃହକୁ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ ସୁନୀଲ କୁମାର ପଟେଲ(୨୮), ନିଜାମ ୟାସିନ(୨୩), ପ୍ରକାଶ ଦାସ(୩୨), ମାଧବ ଦାସ(୨୭) ଓ ଲକ୍ଷ୍ମଣ ମେହେର(୨୭) ବୋଲି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଦୁର୍ଲଗା ସ୍କୁଲରୁ ଗତ ୧୬ ତାରିଖ ରାତିରେ ୭ଟି କମ୍ପ୍ୟୁଟର, ୨ଟି ଲାପଟପ, ଗ୍ୟାସ ସିଲିଣ୍ଡର ଓ ଘଣ୍ଟା ଆଦିକୁ ଦୁର୍ବୁତ୍ତମାନେ ଚୋରି କରିନେଇଥିଲେ। ଏନେଇ ସ୍କୁଲ କର୍ତୃପକ୍ଷ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସମସ୍ତ ସାମଗ୍ରୀକୁ ଉଦ୍ଧାର କରିଛି। ଏହି ସାମଗ୍ରୀଗୁଡ଼ିକର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଅନ୍ୟପଟେ ପୁଲିସ ଚୋରିରେ ବ୍ୟବହୃତ ହୋଇଥିବା ଅଟୋ ରିକ୍ସାକୁ ଜବତ କରିଥିବା ସୂଚନା ଦେଇଛି।