ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ଵାରା ଚୋରା ଶାଗୁଆନ କାଠ ଜବତ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠୀ, ବନରକ୍ଷୀ କୁନି ଗଉଡ଼ ଓ ଜଗନ୍ନାଥ ସାହୁଙ୍କୁ ନେଇ ଏକ ଟିମ ଯୋଗେ ବୁଧବାର ଚିତ୍ରକୋଣ୍ଡାର କିଛି ସ୍ଥାନରେ ଚୋରାରେ କାଠ ସାମଗ୍ରୀ ତିଆରି କରୁଥିବା ବ୍ୟକ୍ତିଙ୍କୁ ସକାଳୁ ଦିନ ତମାମ ତାଉପରେ ନଜର ରଖି ଅପରାହ୍ନରେ ଚିତ୍ରକୋଣ୍ଡା ସ୍ଥିତ ବାବୁଲା ନାଗଙ୍କ ଘରକୁ ଯାଇ ଚଢ଼ଉ କରିଥିଲା।

ଏହି ଚଢ଼ଉରେ ୧.୨୮ ଘନ ମିଟରର ୬୭ ଖଣ୍ଡ ଶାଗୁଆନ କାଠ ପଟା ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଊଦ୍ଧ୍ୱର୍ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଉକ୍ତ କାଠଗୁଡିକ ଓଡିଶା ବନ ଉନ୍ନୟନ ନିଗମକୁ ହସ୍ତାନ୍ତର କଲା ପରେ ପ୍ରକୃତ ମୂଲ୍ୟ ଜଣାପଡିବ ବୋଲି ଅନୁମାନ କରାଯାଉଛି। ଚିତ୍ରକୋଣ୍ଡା ବନାଞ୍ଚଳ ତରଫରୁ ବାବୁଲା ନାଗଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି। ସେହିଭଳି ଚିତ୍ରକୋଣ୍ଡାର ଅନ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଚଢଉ କରି ୫୦ ଖଣ୍ଡ କାଠ ପଟା ଜବତ କରିବା ସହ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।