ପବିତ୍ର ଭଉଁରୀ ଉତ୍ସବ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚକଡେରା ନୀତି

ପୁରୀ,ଏନ୍ଏନ୍ଏସ୍: ଆଜି ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଉତ୍ସବ। ଏହି ଅବସରରେ ଶ୍ରୀମନ୍ଦିର ବିଧି ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ତିନିରଥର ଚକଡେରା ନୀତି ଅନୁକୂଳ ହେବ। ଏହି ଉତ୍ସବରେ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ ରଥର ଦୁଇଟି ଲେଖାଁ ଚକରେ ଅଖ ସଂଯୋଗ କରାଯାଇ ଚକଡେରା ନିତି ଅନୁଷ୍ଠିତ ହୋଇଥାଏ। ଆଜି ଡେରା ଯିବାକୁ ଥିବା ଚକକୁ ନାହାକା ଚକ ଓ ଅଖକୁ ନାହାକା ଅଖ କୁହାଯାଏ।

ଆଜି ଶ୍ରୀମନ୍ଦିରରେ ଯାତ ଭୋଗ ଲାଗି ହେବା ପରେ ରଥଖଳାକୁ ଆସିବ ମହାପ୍ରଭୁଙ୍କ ନିକଟରୁ ତିନୋଟି ଆଜ୍ଞାମାଳ। ଆଗରେ ବଡଠାକୁର ଶ୍ରୀବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ପୂଜାପଣ୍ଡା ସେବକ ଆସିବେ। ରଥଖଳାରେ ଚକଡେରା ନିତି ଅନୁକୂଳ ହେବ।

ଏଥିପାଇଁ ରଥ ଖଳାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଚକ ଓ ଅଖ ପ୍ରସ୍ତୁତ ହୋଇ ରଥଖଳାରେ ରଖାଯାଇଛି। ଏହି ନାହାକା ଚକ ଅଖରେ ଆଜି ଜୋକିଆ ଲାଗି ଅନୁକୂଳ ହେବ। କମାର ସେବକ ମାନେ ରଥଖଳାକୁ ଆସି ଜୋକିଆ ଲାଗି କରାଇବେ। ଭୋଇସେବକ ମାନେ ଏହି ନାହାକା ଚକ ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବେ। ଅନୁକୂଳ ନୀତି ସରିବା ପରେ ଏଥିରେ ଯୋକିଆ ସଂଯୋଗ କରାଯିବ ବୋଲି ଜଣାପଡିଛି ।