ଦେବଗଡ଼,ଏନ୍ଏନ୍ଏସ୍: ଗତକାଲି ରାତିରେ କେନ୍ଦୁପତ୍ର ଚୋରା ଚାଲାଣବେଳେ ବନ ବିଭାଗ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତିରେ ରିଆମାଲ ପଟୁ ଏକ ଚୋରା କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ସୁଗୁଡ଼ା ପଟୁ ଗ୍ରାମ୍ୟ ରାସ୍ତାଦେଇ କାଲକାଠ ଗାଁ ଛକରେ ବାହାରୁଥିବା ନେଇ ବିଶସ୍ତ ସୂତ୍ରରୁ ସୂଚନା ମିଳିଥିଲା । ପରେ ବନପାଳ ଭୀମସେନ ଶତପଥୀଙ୍କ ନେତୃତ୍ୱରେ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ଉ କରି ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଉକ୍ତ ଗାଡ଼ିରେ କେନ୍ଦୁପତ୍ର ମିଳିବା ସହ ଗାଡ଼ି ଚାଳକ ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଗ୍ରାମର ମିଲଟନ ସାହୁ କୌଣସି କାଗଜ ପତ୍ର ଦେଖାଇ ପାରିନଥିଲା । ଫଳରେ ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗାଡ଼ିକୁ ଜବତ କରିବା ସହ ଚାଳକକୁ ଗିରଫ କରିଥିଲେ । ଜବତ କେନ୍ଦୁପତ୍ରକୁ ଆଜି ଛୁରିଆ ବାହାଳ କେନ୍ଦୁପତ୍ର ସେଣ୍ଟ୍ରାଲ ଗୋଦାମକୁ ହସ୍ତାନ୍ତର କରାଯାଇ ଥିବାବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଦେବଗଡ଼ ରେଞ୍ଜର ଦେବବ୍ରତ ନନ୍ଦ ସୂଚନା ଦେଇଛନ୍ତି ।