ଭୁବନେଶ୍ୱର,ଏନ୍ଏନ୍ଏସ୍: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ) ହାତରେ ଆଉ ଜଣେ ନିଶା ବେପାରି ଧରାପଡିଛି। ଗିରଫ ନିଶା ବେପାରି ଜଣକ ହେଲେ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ପ୍ରଦୀପ କୁମାର ସାହୁ(୩୮)। ସେ ସୁନ୍ଦରପଦା ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରୁଥିବାବେଳେ ଏସଟିଏଫ ତାକୁ ଚଢ଼ଉ କରି ଧରିଥିଲା। ପ୍ରଦୀପ ଠାରୁ ୨୧.୭ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ସେହିପରି ମାସକ ମଧ୍ୟରେ ଏସଟିଏଫ୍ ୨୧ଜଣ ନିଶା ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଏସଟିଏଫ ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ଣରେ ପ୍ରଦୀପ ସୁନ୍ଦରପଦା ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା। ଏ ବାବଦରେ ଏସଟିଏଫ ବିଶେଷ ସୁତ୍ରରୁ ଖବରପାଇ ସେଠାରେ ଚଢଉ କରିଥିଲା। ଚଢଉ ବେଳେ ପୁଲିସ ତା’ ନିକଟରୁ ବ୍ରାଉନସୁଗର ଜବତ କରିଥିଲା। ଜେରା ବେଳେ ସେ ନିଶା କାରବାର କରୁଥିବା ପୁଲିସ ଆଗରେ ସ୍ୱୀକାର କରିଛି। ଏହାପରେ ତା’ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
ସେହିପରି ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଏସଟିଏଫ ନିଶା କାରବାର ରୋକିବା ଲାଗି ସ୍ୱତନ୍ତ୍ର ଅଭିଯାନ ଚଳାଇଛି। ମାସକ ମଧ୍ୟରେ ଏସଟିଏଫ୍ ୧୦ଟି ମାମଲା ରୁଜୁ କରିଛି। ଭୁବନେଶ୍ୱର, ପୁରୀ, ପିପିଲି, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ ଓ ଖୋର୍ଦ୍ଧା ଆଦି ଅଞ୍ଚଳରେ ଚଢଉ କରି ୨୧ ଜଣ ନିଶା ମାଫିଆଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୮୬୧.୭ ଗ୍ରାମ ବ୍ରାଉନସୁଗର, ୩୨୬.୪୫ ଗ୍ରାମ ଅଫିମ, ୧୩ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ କାର, ୮ଟି ବାଇକ, ବ୍ୟାଙ୍କ ଆକାଉଣ୍ଟ ଆଦି ଜବତ କରାଯାଇଛି।