ବିଦ୍ୟୁତ୍ ଗ୍ରାହକଙ୍କୁ ୧୦ ଦିନ କୋହଳ: ୧୮ ଦିନରେ ଆଦାୟ ହୋଇଛି ୭୩ କୋଟି ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଦ୍ୟୁତ୍ ଦେୟ ବକେୟା ରଖିଥିବା ବ୍ୟବସାୟିକ ସଂସ୍ଥାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ପ୍ରକ୍ରିୟାକୁ ସେସୁ ସାମୟିକ ଭାବେ ବନ୍ଦ କରିଛି। ସେସୁ ପକ୍ଷରୁ ହେଉଥିବା କାର୍ଯ୍ୟାନୁଷ୍ଠାନ ଆଗାମୀ ୧୦ ଦିନ ପାଇଁ ବନ୍ଦ ରହିବ। ଫେବୃଆରୀ ୬ ତାରିଖରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବ୍ୟବସାୟିକ ସଂସ୍ଥାକୁ ବିଦ୍ୟୁତ୍ ଦେୟ ପୈଠ କରିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ସେସୁ ଏଭଳି ନିଷ୍ପତ୍ତି ନେଇଛି।

ତେବେ ପ୍ରଥମ ପର୍ଯ୍ୟାୟରେ ସେସୁ ସର୍ବମୋଟ୧୮ ଦିନର କାର୍ଯ୍ୟାନୁଷ୍ଠାନ କରି ୭୨କୋଟି ୬୬ ଲକ୍ଷ ଟଙ୍କା ଆଦାୟ କରିଥିବା ବେଳେ ୨୧ହଜାର ୩୩୯ଟି ବ୍ୟବସାୟିକ ସଂସ୍ଥାରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରିଥିଲା। ଏଯାବତ୍ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଥିବା ସଂସ୍ଥାଗୁଡ଼ିକ ମଧ୍ୟରୁ ୯୩୪୧ ସଂସ୍ଥା ବିଦ୍ୟୁତ୍ ଦେୟ ପୈଠ କରି ପୁନଶ୍ଚ ବିଦ୍ୟୁତ୍ ସେବା ଫେରି ପାଇଛନ୍ତି। ସେହିଭଳି ୪୮୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ସେସୁ ଅଧୀନସ୍ଥ ସମସ୍ତ ୨୪୭ ବିଭାଗର ୧ ଲକ୍ଷ ୬୨ ହଜାର ୮୦୧ ଖିଲାପୀ ଗ୍ରାହକଙ୍କ ପାଖରେ ପହଞ୍ଚିଥିଲେ।

ଏହି ବିଦ୍ୟୁତ୍ ଗ୍ରାହକଙ୍କ ମଧ୍ୟରୁ ୩୫ ହଜାର ୨୭୭ଜଣ ଗ୍ରାହକ ପୁନଶ୍ଚ ବିଦ୍ୟୁତ୍ ବିଲ୍ ଯାଞ୍ଚ କରିବା ପାଇଁ ଆବେଦନ କରିଥିବା ବେଳେ ୧ ଲକ୍ଷ ୬୯୪ ଜଣ ଗ୍ରାହକ କିସ୍ତିରେ ଦେୟ ପୈଠ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଆସନ୍ତା ୧୬ ତାରିଖ ପୂର୍ବରୁ ସମସ୍ତ ବିଲ୍କୁ ସାନି ଯାଞ୍ଚ କରି ଗ୍ରାହକଙ୍କୁ ନୂଆ ରିପୋର୍ଟ ଦେବା ନେଇ ସେସୁ ଦୃଢ଼ୋକ୍ତି ପ୍ରକାଶ କରିଛି।

ଆସନ୍ତା ୧୫ ତାରିଖ ମଧ୍ୟରେ ସେସୁ ଅନ୍ତର୍ଗତ ସମସ୍ତ ବ୍ୟବସାୟିକ ସଂସ୍ଥା ନିଜର ବକେୟା ବିଦ୍ୟୁତ୍ ଦେୟ ପୈଠ କରିବା ପାଇଁ ସେସୁ ପକ୍ଷରୁ ନିବେଦନ କରାଯାଇଛି। ଆସନ୍ତା ୧୬ ତାରିଖଠାରୁ ପୁଣି ଥରେ ସେସୁ ନିଜର ପ୍ରଥମ ପର୍ଯ୍ୟାୟ ବିଦ୍ୟୁତ୍ ବିଚ୍ଛେଦ ପ୍ରକ୍ରିୟା ଚାଲୁ ରଖିବା ନେଇ ଘୋଷଣା କରିଛି। ସେସୁ ବିଦ୍ୟୁତ୍ ବିଚ୍ଛିନ୍ନ ପ୍ରକ୍ରିୟାରେ ସମସ୍ତ ୯ଟି ଜିଲ୍ଲାର ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଛି।