ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ସାରା ଓଡ଼ିଶାରେ ପୂର୍ବ ଘୋଷଣା ଅନୁସାରେ ପାଟଣାଗଡ଼ କଣ୍ଟାବାଞ୍ଜି ୪୨ନଂ ରାଜ୍ୟ ରାଜପଥ ବଥର୍ଲା ଛକରେ ୧୦ ଦଫା ଦାବୀ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବର ପାଇ ପଟଣାଗଡ଼ ପୁଲିସ ପହଞ୍ଚି ଆନ୍ଦୋଳନ ଉପରେ ନଜର ରଖିଛି ।୧୦ଦଫା ଦାବୀ ମଧ୍ୟରେ ପ୍ରତି ୧୦୦ କିମିରେ ଯାତ୍ରୀ ନିବାସ ସହ ଶୌଚାଳୟ,୫୫ବର୍ଷ ପରେ ପେନସନ, ଡ୍ରାଇଭର ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କାର ଜୀବନ ବୀମାର ବ୍ୟବସ୍ଥା ଓ ଡ୍ରାଇଭର ଯଦି ବିକଳାଙ୍ଗ ହୁଅନ୍ତି ୧୦ ଲକ୍ଷ ଟଙ୍କାର ସହାୟତା ପ୍ରମୁଖ ଦାବୀଗୁଡ଼ିକ ରହିଛି । ପାଟଣାଗଡ଼ ଡ୍ରାଇଭର ମହାସଂଘର ସଭାପତି ଗଙ୍ଗାଧର ମହଲିଙ୍ଗଙ୍କ ନେତୃତ୍ୱରେ ଶତାଧିକ ସଭ୍ୟ ରାସ୍ତାରେ ବସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଆନ୍ଦୋଳନରେ ସାମିଲ ହୋଇଥିଲେ ।