ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ ଜୁରେଇକେଳା ଗ୍ରାମରେ ଜଣେ ଯୁବକଙ୍କ ଘରେ ଦୀର୍ଘ ଦିନ ଧରି ବେଆଇନ ଚୋରା ସ୍କ୍ରାପ ବ୍ୟବସାୟର ଦେବଗଡ଼ ଥାନା ପୁଲିସ ପର୍ଦ୍ଦାଫାସ କରିଛି । ଏଥିସହ ଉକ୍ତ ଆଡ୍ଡାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ୩ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଆଲୁମୁନିୟମ ବିଦ୍ୟୁତ ତାର ଜବତ କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଜୁରେଇକେଳା ଗ୍ରାମର ନେଲସନ ଲମ୍ବଗା ଓ ତିଳେଇବଣି ଗ୍ରାମର ପପୁ ଜୟଶ୍ୱାଲ ଦୀର୍ଘ ଦିନ ଧରି ଚୋରା ସ୍କ୍ରାପ ବ୍ୟବସାୟ କରି ଆସୁଥିଲେ । ଗତକାଲି ବିଶ୍ୱସ୍ତ ସୂତ୍ରରୁ ନେଲସନଙ୍କ ଘରେ ଚୋରା ଆଲୁମିନିୟମ ତାର ଆସିଥିବା ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୩ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଚୋରା ଆଲୁମିନିୟମ ତାର ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସେହିପରି ନେଲସନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା କରୁଥିବାବେଳେ ପପୁ ଫେରାର ଥିବା ସୂଚନା ମିଳିଛି ।