ବିନା ପ୍ରମାଣରେ ବିଜୟ କେତନଙ୍କୁ ଫସାଇ ଦିଆଯାଇଛି

କଟକ,ଏନ୍ଏନ୍ଏସ୍: ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି। ୧ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗର କୌଣସି ପ୍ରାମାଣିକ ତଥ୍ୟ ଭିଜିଲାନ୍ସ ବିଭାଗ ନିକଟରେ ନାହିଁ। ତାଙ୍କୁ ଆକ୍ରୋଶମୂଳକ ଭାବେ ଫସାଇ ଦିଆଯାଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରାଯାଇଥିଲେ ମଧ୍ୟ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା କିମ୍ବା ବେଆଇନ ଭାବେ ସରକାରୀ ଅର୍ଥ ହେରଫେର କରିବା ଭଳି କୌଣସି ପ୍ରମାଣ ଭିଜିଲାନ୍ସ ନିକଟରେ ନାହିଁ। ଏପରିକି ଲାଞ୍ଚ ନେଇନଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସ ଏଭଳି ଦକ୍ଷ ଓ ସଚ୍ଚୋଟ ଅଫିସରଙ୍କୁ ଗିରଫ କରିବା ଯୋଗୁଁ ତାଙ୍କ ନିର୍ମଳ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ପତ୍ନୀ ଡକ୍ଟର ତୁଷିମା ମିଶ୍ର।

ସେ ଏକ ସାମ୍ବାଦିକ ସମ୍ମିଳୀରେ କହିଛନ୍ତି ଯେ, ଭିଜିଲାନ୍ସ ବିଭାଗ ଗତ ଡିସେମ୍ବର ୩୦ତାରିଖ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ଯେ ବିଜୟ କେତନଙ୍କୁ ସେ ରେଡ୍ ହ୍ୟାଣ୍ଡରେ ଧରିନାହାନ୍ତି କିନ୍ତୁ ଅନ୍ୟ ଜଣଙ୍କଠାରୁ ଟଙ୍କା ମିଳିବା ଅଭିଯୋଗରେ ବିଜୟ କେତନଙ୍କ ତାଙ୍କସହ ସମ୍ପର୍କ ଥିବା ସନ୍ଦେହ କରି ଗିରଫ କରିନେଇଛନ୍ତି। ଏହା ପୂର୍ବରୁ ଭିଜିଲାନ୍ସ ବିଭାଗ ତାଙ୍କୁ ଏକ ମିଛ ମାମଲାରେ ଫସାଇବାକୁ ଯୋଜନା କରିଥିଲା। ମାତ୍ର ଏଥିରେ ସଫଳ ନହେବାରୁ ବିଲ ପାସ କରାଇବା ଆଳରେ ତାଙ୍କୁ ଏକ ମିଛ ମାମଲାରେ ଫସାଇ ଦିଆଗଲା।

ବିଜୟଙ୍କୁ ଗିରଫ କରିବା ବେଳେ ସେ ଭିଜିଲାନ୍ସ ଅଧିକାରୀଙ୍କୁ ସର୍ଚ୍ଚ ୱାରେଣ୍ଟ ମାଗିଥିଲେ ମଧ୍ୟ ତାହା ତାଙ୍କୁ ଦିଆଯାଇ ନଥିଲା। ସମ୍ପୃକ୍ତ ଅଧିକାରୀ ସର୍ଚ୍ଚ ୱାରେଣ୍ଟ ତାଙ୍କ ପାଖରେ ନଥିବା ସ୍ୱୀକାର କରି ଉପରୁ ଗିରଫ କରିବାକୁ ଅର୍ଡର ଆସିଥିବା କହି ବିଜୟଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ଘର ସର୍ଚ୍ଚ ଚାଲିଥିବାବେଳେ ଅପରାହ୍ଣ ସମୟ ୨.୩୦ ସୁଦ୍ଧା ରାଜ୍ୟ ସରକାର ବିଜୟ କେତନଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯଦିଓ ସେପର୍ଯ୍ୟନ୍ତ ଭିଜିଲାନ୍ସ ହାତରେ ଅଭିଯୋଗ ନେଇ କୌଣସି ଠୋସ ପ୍ରମାଣ ଲାଗିନଥିଲା। ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ବିଜୟ କେତନ ଏଚଡିଏଫସି ଓ ୟେସ୍ ବ୍ୟାଙ୍କରେ ସରକାରୀ ଟଙ୍କା ଜମା ରଖିଛନ୍ତି ।

ଫାଇନାନ୍ସ ବିଭାଗର ବିଜ୍ଞପ୍ତି ଅନୁଯାୟୀ (୩୨୬୪୮/ ତା-୧୦/୧୦/୧୮) ଏହି ସରକାରୀ ଟଙ୍କା ଘରୋଇ ବ୍ୟାଙ୍କର ସରକାରୀ ଖାତାରେ ରଖାଯାଇଛି। ସେ ସରକାରୀ ଟଙ୍କା ବିଜୟ କେତନ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ରଖିନାହାନ୍ତି। ଅନ୍ୟପକ୍ଷରେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଘଟଣାକୁ ୧୨ ଦିନ ବିତି ଯାଇଥିବାବେଳେ କେମିତି କେସ ଡାଏରୀ ପ୍ରସ୍ତୁତ ହୋଇନଥିଲା। ମୁଖ୍ୟ ପ୍ରସଙ୍ଗ ହେଉଛି ଘର ସର୍ଚ୍ଚ କରିବାପରେ ଲାଞ୍ଚ ସମ୍ପର୍କିତ କୌଣସି ତଥ୍ୟ ଭିଜିଲାନ୍ସର ହସ୍ତଗତ ହୋଇନାହିଁ। ଏପରିିକି ବେଆଇନ ଭାବେ ଗଚ୍ଛିତ ଅର୍ଥ, ଅସ୍ତ୍ରଶସ୍ତ୍ର, ଏକାଧିକ ପାସପୋର୍ଟ କିମ୍ବା କୌଣସି ଜାଲିଆତି ସମ୍ପର୍କିତ ଦସ୍ତାବିଜ୍ ମଧ୍ୟ ଜବତ ହୋଇନାହିଁ।

୧୦ ବର୍ଷର ଚାକିରୀ କାଳ ମଧ୍ୟରେ ବିଜୟ କେତନଙ୍କ ପରିବାର ବିଦେଶ ଯାଇନାହାନ୍ତି। ତେବେ ଘରୁ ଯଦି କୌଣସି ପ୍ରକାର ଆପତ୍ତିଜନକ ସାମଗ୍ରୀ ମିଳିନଥିଲା ତେବେ ଭିଜିଲାନ୍ସ କେଉଁ ପରିସ୍ଥିତିରେ କେଉଁ ଆଧାରରେ ତାଙ୍କୁ ଗିରଫ କରିଛି ତାହା ମୁଖ୍ୟ ପ୍ରଶ୍ନ ବୋଲି ତାଙ୍କ ପତ୍ନୀ ଡକ୍ଟର ମିଶ୍ର ସାମ୍ବାଦିକଙ୍କୁ ପ୍ରକାଶ କରିବା ସହ ତାଙ୍କ ସ୍ୱାମୀଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଥିବା କହିଛନ୍ତି।