କୃଷି ଓଡ଼ିଶାରେ ସାମିଲ ହେବେ ୧୧୨ ବାହାର କମ୍ପାନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜନତା ମୈଦାନଠାରେ ଆସନ୍ତା ୨୦ରୁ ୫ ଦିନିଆ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ଆରମ୍ଭ ହେବ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା’କୁ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ଡା. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।

ଚଳିତ ବର୍ଷ କୃଷି କ୍ଷେତ୍ରରେ ଚାଷ ତଥା କୃଷକଙ୍କ ଲାଗି ସମବାୟ, ଜାତୀୟ ବ୍ୟାଙ୍କ, ପଞ୍ଚାୟତିରାଜ ଜନପ୍ରତିନିଧି ଓ ମହିଳାଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯିବ। ପାଞ୍ଚ ଦିନ ଧିରି ଚାଲିବାକୁ ଥିବା ଏହି ମହୋତ୍ସବର ୨୧ ତାରିଖରେ ଚାଷ କ୍ଷେତ୍ରରେ ଋଣ ପ୍ରଦାନ ଦିଗରେ ସମବାୟ ଓ ବ୍ୟାଙ୍କିଙ୍ଗ୍ ଭୂମିକା ଉପରେ ଆଲୋଚନା ହେବ। ସେହିଦିନ ଜଳ ସମ୍ପଦ ଓ ଜଳସେଚନ, ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସ୍ମାର୍ଟ ଟେକ୍ନୋଲୋଜିର ପ୍ରୟୋଗ ଉପରେ ଆଲୋଚନା ହେବ ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

୨୨ ତାରିଖରେ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଭାବେ ପାଳନ କରାଯିବ। ସେହିଦିନ ଚାଷର ବଜାର ସୁବିଧା, ଦ୍ରବ୍ୟର ମୂଲ୍ୟଯୁକ୍ତ ଆଦି ଉପରେ ଆଲୋଚନା ହେବ। ୨୩ ତାରିଖରେ ମହିଳା ଦିବସ, ଚାଷକ୍ଷେତ୍ରରେ ଜ୍ଞାନ କୌଶଳର ପ୍ରୟୋଗ, ଫସଲ କ୍ଷେତ୍ରରେ ବୀମା ପ୍ରଦାନ ଉପରେ ଅଲୋଚନା ହେବ ବୋଲି ସେ କହିଛନ୍ତି।

୨୪ ତାରିଖରେ ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଣ୍ଟ୍ ଓ ମହିଳା ଚାଷୀଙ୍କ ଏସ୍ଏଚ୍ଜି କ୍ଷେତ୍ରରେ ଭୂମିକା ଉପରେ ଆଲୋଚନା ହେବ। ଏହି ଉଦ୍ୟାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେବେ ବୋଲି ସେ କହିଛନ୍ତି। ରାଜ୍ୟ ଅର୍ଥନୀତିରେ କୃଷି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟର ପ୍ରାୟ ୬୨ ପ୍ରତିଶତ ଜନସାଧାରଣ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉପରେ ନିର୍ଭର କରିଥାନ୍ତି। କୃଷକଙ୍କ ଆୟକୁ ବହୁଗୁଣିତ କରିବ ପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାର ସୁଫଳ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚୁଛି।

ଓଡ଼ିଶା କୃଷିକ୍ଷେତ୍ରରେ ଏକ ପ୍ରଗତିଶୀଳ ରାଜ୍ୟର ପରିଚୟ ପାଇଛି ବୋଲି ଡା. ସାହୁ କହିଛନ୍ତି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଦୃଶ୍ୟମାନ ଅଗ୍ରଗତି ଲାଭ କରିଛି। ତେକେ କ୍ଷେତ୍ରରେ ଏହା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି। ସେଥିପାଇଁ ଓଡ଼ିଶା ବିଗତ ୭ ବର୍ଷ ମଧ୍ୟରେ ୫ଥର କୃଷି କର୍ମଣ ପୁରସ୍କାର ପାଇଛି। ସେହିପରି ମଧ୍ୟ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ବିଶେଷ ସଫଳତା ପାଇଁ ଚଳିତବର୍ଷ କମେଣ୍ଡସନ୍ ଆୱାର୍ଡ ଲାଭ କରିଛି ବୋଲି ସେ କହିଛନ୍ତି।

ଏହି ମହୋତ୍ସବରେ ୨୨୮ଟି ଷ୍ଟଲ ସ୍ଥାନ ପାଇବ। ଏହି ମହୋତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟର ୧୧୨ ଜଣ କମ୍ପାନୀ ଯୋଗଦେବେ। ଦେଶ ବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନକୈଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀଙ୍କୁ ପରିଚିତ କରାଯିବ। ସେଥିପାଇଁ ସେଠାରେ ବିଶିଷ୍ଠ କୃଷି ବୈଜ୍ଞାନିକ ଉପସ୍ଥିତ ରହି ଜ୍ଞାନ ଆଲୋଚନାଚକ୍ରରେ ବାଣ୍ଟିବେ ବୋଲି ସେ କହିଛନ୍ତି ।