ରାଜ୍ୟ ସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଭୁବନେଶ୍ୱର ଚାମ୍ପିଅନ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ମଳେହିପଡା ଗ୍ରାମ ପଞ୍ଚାୟତ ଖେଳ ପଡିଆଠାରେ ବୀର ସୁରେନ୍ଦ୍ର ସାଏ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ କବାଡି ଟୂର୍ଣ୍ଣାମେଣ୍ଟ ଉଦଯାପିତ ହୋଇଥିବା ବେଳେ ଭୁବନେଶ୍ୱର ଦଳ ଚାମ୍ପିୟନ ହୋଇଅଛି। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଦେବଗଡ, ସମ୍ବଲପୁର, ଅନୁଗୋଳ, ଗଞ୍ଜାମ, ରିଆମାଳ, ଭୁବନେଶ୍ୱର, କଟକ ଆଦି ୮ଟି ଦଳ ଯୋଗଦେଇଥିବା ବେଳେ ସେମିଫାଇନାଲ ମ୍ୟାଚରେ ଅନୁଗୋଳକୁ ହରାଇ ଭୁବନେଶ୍ୱର ଫାଇନାଲକୁ ପ୍ରବେଶ କରିଥିଲା ଓ ସମ୍ବଲପୁରକୁ ହରାଇ କଟକ ଦଳ ଫାଇନାଲକୁ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚଟି ସଂଘର୍ଷ ପୂର୍ଣ୍ଣ ହୋଇ ଭୂବନେଶ୍ୱର ଟିମ ଚାମ୍ପିୟନ ହୋଇଥିବା ବେଳେ କଟକ ଦଳ ରନର୍ସଅପ ହୋଇଥିଲା।

ଉଦଘାଟନୀ ଉତ୍ସବରେ ଦେବଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜକିଶୋର ପାଇକରାୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମି ପୂଜନ, ଟ୍ରଫି ଉନ୍ମୋଚନ, ଖେଳ ପତାକା ଉତୋଳନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଭୁବନେଶ୍ୱର ଦଳକୁ ଟ୍ରଫି ପ୍ରଦାନ ସହ ୧୫ ହଜାର ଅର୍ଥ ରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ରନର୍ସଅପ କଟକ ଦଳକୁ ଟ୍ରଫି ସହ ୧୧ ହଜାର ଟଙ୍କା ପୁରଷ୍କାର ପ୍ରଦାନ କରିଥିଲେ।

ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସାଂସଦଙ୍କ ପ୍ରତିନିଧି ପ୍ରଣବ କୁମାର ଦେବ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ କୁମାର ପ୍ରଧାନ, ଦେବଗଡ଼ ଜିଲ୍ଲା ଆଥଲେଟିକ ସାଧାରଣ ସଂପାଦକ ସୁଧୀର କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ରାଇଡର, ମ୍ୟାନ ଅଫ ଦି କ୍ୟାଚରଙ୍କୁ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। କମିଟିର ସଭାପତି ନୃପଲାଲ ପ୍ରଧାନ, ସଂପାଦକ ପ୍ରମୋଦ କୁମାର ବେହେରା ଓ ଉପଦେଷ୍ଟା କମିଟି ସଭାପତି ଉମାଶଙ୍କର ସାହୁଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବିଜ୍ଞାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିଲେ। ପ୍ରକାଶ ଚନ୍ଦ୍ର ସାହୁ, ସତ୍ୟ ପ୍ରକାଶ ଦାଶ, ପୁପୁନ ମଲ୍ଲିକ, ବିଶ୍ୱଭୂଷଣ ପାଲ, ସୂର୍ଯ୍ୟ କୁମାର ଭୋଇ, ପ୍ରଫୁଲ୍ଲ କୁମାର ନାୟକ, କ୍ଷମାନିଧି ସାହୁ ପ୍ରମୁଖ ଖେଳକୁ ସୁପରିଚାଳନା କରିଥିଲେ।