କଟକରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ରାଙ୍କିଙ୍ଗ ପ୍ରତିଯୋଗିତା ଆରମ୍ଭ

କଟକ,ଏନ୍ଏନ୍ଏସ୍: ସିଲଭରସିଟିରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ରାଙ୍କିଙ୍ଗ୍‌ ପ୍ରତିଯୋଗିତା । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଏହି ପ୍ରତିଯୋଗିତା ୩ଦିନ ଧରି ଖେଳାଯିବ । ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଜଣାପଡ଼ିଛି । ଏହି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିବା ବେଳେ ଓଲିଉଡ଼ ଅଭିନେତା ତଥା ବିଜେଡି଼ର ସାଧାରଣ ସମ୍ପାଦକ ଅରିନ୍ଦମ ରାୟ ମଧ୍ୟ ଯୋଗ ଦେଇଥିଲେ ।

୯, ୧୧ ଓ ୧୩ ବର୍ଷରୁ କମ ବୟସ ଵର୍ଗରେ ଖେଳାଯିବା ସମସ୍ତ ମୁକାବିଲା । ରାଜ୍ୟର ସମସ୍ତ ଜିଲ୍ଲାରୁ ଅନେକ ପ୍ରତିଯୋଗୀ ଏଥିରେ ଭାଗ ନେଇଛନ୍ତି । ତେବେ ରାଜ୍ୟରେ ତୃଣମୂଳସ୍ତରରୁ ଭଲ ଖେଳାଳି ଚୟନ କରିବା ଏହି ରାଙ୍କିଙ୍ଗ ପ୍ରତିଯୋଗିତା କରିବାର ଲକ୍ଷ୍ୟ ବୋଲି କହିଛି ରାଜ୍ୟ କ୍ରୀଡା ସଂଘ । ଦିନକୁ ଦିନ ବ୍ୟାଡମିଣ୍ଟନ କ୍ରୀଡାର କ୍ରେଜ ବୃଦ୍ଧି ପାଉଥିଲାବେଳେ, ରାଜ୍ୟରେ ଆହୁରି ଭଲ ନୂଆ ପ୍ରତିଭା ଆବଶ୍ୟକ । ତେଣୁ ଏହି ଭଳି ମେଗା ଟୁର୍ଣ୍ଣାମେଣ୍ଟ ଆଗାମୀ ଦିନରେ ମଧ୍ୟ ଆୟୋଜନ କରାଯିବ ।

ଆୟୋଜକ କମିଟି ମୁଖ୍ୟ କମଲ ଦାସ କହିଛନ୍ତି, “ଏହାଦ୍ବାରା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡି଼ଶା ଆହୁରି ନାଁ କରିପାରିବ । ଆଜି ଆରମ୍ଭ ହୋଇଥିବା ବେଳେ ୨୮ ତାରିଖରେ ଏହାର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଭବିଷ୍ୟତରେ ବ୍ୟାଡମିଣ୍ଟନରେ ରାଜ୍ୟରୁ ଅନେକ ଖେଳାଳି ନାଁ କମାଇବା ଲକ୍ଷ୍ୟରେ ଏହା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତାରେ ପ୍ରାୟ ସମସ୍ତ ଜିଲ୍ଲାର ଖେଳାଳି ରହିଛନ୍ତି । ଖେଳାଳିମାନେ ୧୩ରୁ ୧୫ ବର୍ଷ କାଟେଗୋରୀରେ ଖେଳିବାବେଳେ, ପଛରେ ରହିଯାଉଛନ୍ତି । ସେହି ଦୁର୍ବଳତାକୁ ଚିହ୍ନଟ କରି ତାକୁ ସୁଧାରିବା ଲାଗି ଉଦ୍ୟମ କରାଯାଉଛି ।”

ରାଜ୍ୟ ସଂଘ ସମ୍ପାଦକ ନିଲେନ କୁମାର କହିଛନ୍ତି, “ଏହା ପ୍ରଥମ ଥର ପାଇଁ ରାକିଙ୍ଗ ସିଷ୍ଟମ ଭାବେ ଓଡ଼ିଶାରେ ହେଉଛି । ଏହାପୂର୍ବରୁ ଥରେ ସମ୍ବଲପୁରରେ ଆୟୋଜିତ ହୋଇଥିଲା । ଆମେ ଛୋଟ ପିଲାଙ୍କୁ ଗେମକୁ ଟାଣି ଆଣିବା ଦ୍ବାରା ସେମାନଙ୍କ ବୟସ ବଢିବା ସହିତ ତାଙ୍କ ଖେଳରେ ମଧ୍ୟ ଉନ୍ନତି ଆସିବ । ଏଥିଲାଗି ଏହି ପ୍ରତିଯୋଗିତା ଆୟୋଜିତ ହେଉଛି ।”

ଆମ ରାଜ୍ୟ ପୂର୍ବରୁ ଜାତୀୟ ବା ଅନ୍ତର୍ଜାତୀୟ ସ୍ତରର ଖେଳରେ ସେତେଟା ପରିଚୟ ସୃଷ୍ଟି କରିପାରିନଥିଲା । ମାତ୍ର ଏବେ ଧୀରେ ଧୀରେ ଛୋଟ ଛୋଟ ପିଲାମାନେ ବିଭିନ୍ନ ପ୍ରକାର ଖେଳରେ ଆଗ୍ରହ ଦେଖାଉଥିବା ନଜରକୁ ଆସୁଛି । ଏଭଳି ପ୍ରତିଯୋଗିତାମୂଳ କାର୍ଯ୍ୟକ୍ରମ ସେମାନଙ୍କୁ ଏକ ପ୍ଲାଟଫର୍ମ ମଧ୍ୟ ଯୋଗାଉଛି ।