ନରମିଲା କେନ୍ଦ୍ର: ଜମି ନଥିବା ଗରିବ ଚାଷୀ ପାଇବେ ପିଏ କିଷାନ ସହାୟତା

ନୂଆଦିଲ୍ଲୀ,ଏଜେନ୍ସି: ନରମିଲେ କେନ୍ଦ୍ର ସରକାର । ଏଣିକି ଜମି ନଥିବା ଗରିବ ଚାଷୀଙ୍କୁ ମିଳିବ ପିଏମ୍ କିଷାନ୍ ସହାୟତା । ୧୧ଟି କିସ୍ତି ପରେ ୧୨ତମ କିସ୍ତି ଦେଲା ବେଳକୁ କେନ୍ଦ୍ର ସରକାର ପୂରାଇଥିଲେ କେଁ । ଜୁନ୍ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲେ ଜମି ନଥିବା ଚାଷୀଙ୍କୁ ଆଉ ମିଳିବନି ପିଏମ୍ କିଷାନ ସହାୟତା । ୪୦ ଲକ୍ଷ ଗରିବ ଚାଷୀଙ୍କୁ ସହାୟତା ନ ମିଳିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଏ ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହୋଇଥିଲା । ରାଜ୍ୟ ସରକାରଙ୍କ ଆପତ୍ତି ପରେ ପୁଣି ଥରେ ୟୁ-ଟର୍ଣ୍ଣ ମାରିଛି କେନ୍ଦ୍ର ।ଅନ୍ନଦାତାଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଉଥିବା ନେଇ ଡିଣ୍ଡିମ ପିଟୁଥିବା କେନ୍ଦ୍ରର ଅଜବ ନୀତି । ଚାଷୀର ଜମି ଥାଉକି ନ ଥାଉ ୨ ହଜାର ଟଙ୍କା ଲେଖାଏଁ ପିଏମ୍ କିଷାନ୍ ସହାୟତା ନିଧିର ୧୧ଟି କିସ୍ତି ଦେଇ ସାରିଛନ୍ତି । ୧୨ତମ ବେଳକୁ ମନେ ପଡ଼ିଲା ଜମି ମାଲିକାନା । ନୂଆ ନିୟମ କାଢି ୨୦୧୯ ଫେବ୍ରୁଆରୀ ପହିଲା ପୂର୍ବରୁ ଯେଉଁମାନେ ଜମିର ମାଲିକ ହୋଇଥିବେ ସେମାନଙ୍କୁ ହିଁ ମିଳିବ ପରବର୍ତ୍ତୀ ପିଏମ୍ କିଷାନ ସହାୟତା ବୋଲି ଶୁଣାଇ ଦେଲା କେନ୍ଦ୍ର । ଜୁଲାଇ ୩୧ ସୁଦ୍ଧା ଏପରି ଚାଷୀଙ୍କ ତାଲିକା ପ୍ରସ୍ତୁତ କରି ଦେବାକୁ ଦିଆଯାଇଥିଲା କଣ୍ଟ । ଫଳରେ ରାଜ୍ୟର ୪୦ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ନ ମିଳିବା ନେଇ ଆଶଙ୍କା ଉପୁଜିଥିଲା ।

ଏ ନେଇ ଖବର ପ୍ରସାରଣ ହେବା ପରେ ରାଜ୍ୟ ସରକାର ବି ଆପତ୍ତି ଉଠାଇଲେ । ଓଡ଼ିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ଏହି ଉପହାସକୁ ନେଇ ସବୁ ମହଲରେ ନିନ୍ଦା ହେଲା । ଏବେ ନିୟମ ବଦଳାଇ କହିଲେଣି ସେପ୍ଟେମ୍ବର ୫ ତାରିଖ ଭିତରେ ପୂର୍ବ ତାଲିକା ଅନୁଯାୟୀ ଚାଷୀଙ୍କୁ ମିଳିବ ସହାୟତା ଅର୍ଥ ।

ଚାଷୀଙ୍କ ପ୍ରତି କେନ୍ଦ୍ର ଏପରି ନୀତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଅଭିଯୋଗ କରିଛନ୍ତି, ନିର୍ବାଚନ ଥିବାରୁ ଚାଷୀଙ୍କୁ ମନାଇବାକୁ ଏହି ଯୋଜନା ପ୍ରଣୟନ କରିଦେଲେ । ନିର୍ବାଚନ ସରିବା ପରେ ନୀତି ନିୟମ ଦେଖାଇଲେ । ଏବେ ପୁଣି ଥରେ ନିର୍ବାଚନ ଆସିବାରୁ ଚାଷୀଙ୍କ ପ୍ରତି ଦରଦ ଦେଖାଇବା ଆରମ୍ଭ କରିଛନ୍ତି । କୌଣସି କଣ୍ଟ ନ ରଖି ରାଜ୍ୟର ସମସ୍ତ ଚାଷୀ ଯେପରି ଏହି ସହାୟତା ପାଇବେ ସେ ନେଇ କେନ୍ଦ୍ର ପଦକ୍ଷେପ ନିଆଯାଉ । ନଚେତ୍ ଆଗାମୀ ନିର୍ବାଚନରେ ଚାଷୀମାନେ କେନ୍ଦ୍ରକୁ ଜବାବ ଦେବେ ।

ପିଏମ୍ କିଷାନ୍ ସହାୟତା ପ୍ରଦାନ ନେଇ ପ୍ରତି ଶୁକ୍ରବାର କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ହିସାବ ନେଉଛନ୍ତି । ନିୟମ କୋହଳ ପରେ ଏବେ ସୁଦ୍ଧା ରାଜ୍ୟ ସରକାର ୧୦ ଲକ୍ଷ ୧୫ ହଜାର ଚାଷୀଙ୍କୁ ପିଏମ୍ କିଷାନ୍ ସହାୟତା ୧୨ତମ କିସ୍ତି ପ୍ରଦାନ କରିସାରିଛନ୍ତି ।