ଜଙ୍ଗଲ ସୁରକ୍ଷା ପାଇଁ ଦୃଷ୍ଟି ଦିଅନ୍ତୁ ରାଜ୍ୟ ସରକାର: ମୋହନ ମାଝୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି। କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟିନାହିଁ। ଜଙ୍ଗଲରେ ନିଆଁ ଲାଗିବା ସମ୍ପୂର୍ଣ୍ଣ ମନୁଷ୍ୟକୃତ। କିଛି ଜଙ୍ଗଲ ମାଫିଆ ଓ ଅସାମାଜିକ ବ୍ୟକ୍ତି ଏହି ଅକ୍ଷମଣୀୟ ଅପରାଧରେ ସଂପୃକ୍ତ। ଏଭଳି ଅଭିଯୋଗ ଆଣିବା ସହ ଜଙ୍ଗଲର ସୁରକ୍ଷା ଲାଗି ଉଦ୍ଦିଷ୍ଟ ଗାଇଡଲାଇନ୍ ଏବଂ ଏସଓପି ରାଜ୍ୟ ସରକାର କଡ଼ାକଡ଼ି ପାଳନ ପାଇଁ ବିରୋଧୀଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ମାଝୀ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ତାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ଏକ ସମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ମାଝୀ କହିଛନ୍ତି ଯେ ସପ୍ତାହରୁ ଅଧିକ ସମୟ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫଏସଆଇ) ତଥ୍ୟ ଅନୁଯାୟୀ କେବଳ ମାର୍ଚ୍ଚ ୨ରେ ହୋଇଥିବା ଗୋଟିଏ ଦିନ ସର୍ଭେରେ ଭାରତର ୫୯୩ଟି ଜଙ୍ଗଲରେ ନିଆଁ ଲାଗିଥିବା ରେକର୍ଡ ହୋଇଥିବା ବେଳେ ଓଡ଼ିଶାର ସର୍ବାଧିକ ୨୨୮ଟି ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଥିଲା। ବର୍ତ୍ତମାନ ଶିମିଳିପାଳ ସମେତ ରାଜ୍ୟର ୯୧୯ଟି ଘଞ୍ଚ ଜଙ୍ଗଲରେ ନିଆଁ ଲାଗିଛି, ଯାହାକି ଭାରତବର୍ଷର ଅନ୍ୟ କୌଣସି ରାଜ୍ୟ ଅପେକ୍ଷା ସର୍ବାଧିକ। ଏହି ଭୟାବହ ନିଆଁ ଦ୍ୱାରା ଅଭୟାରଣ୍ୟରେ ଥିବା ହରିଣ, ହାତୀ, ଭାଲୁ, ଶମ୍ବର ଓ ଅନ୍ୟ ବନ୍ୟଜନ୍ତୁଙ୍କ ପ୍ରତି ଘୋର ବିପଦ ରହିଥିବା ସେ ଦର୍ଶାଇଛନ୍ତି।
ଶ୍ରୀ ମାଝି ଆକ୍ଷେପ କରିଛନ୍ତି ଯେ ରାଜ୍ୟ ସରକାର ନିଆଁ ଲିଭାଇ ଦେଇଥିବା କଥା କହୁଥିବା ବେଳେ ବାସ୍ତବରେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଗତ ୫ବର୍ଷ ଧରି ଜଙ୍ଗଲ ନିଆଁକୁ କାବୁ କରିବା ପାଇଁ ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯାଉଛି ଓ ଏଥିପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ଅଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଏ ବାବଦରେ ୧୬.୨୯କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ୨୦୧୭-୧୮ ରେ ୧୮.୫୮ କୋଟି ଏବଂ ପରବର୍ତ୍ତୀ ବର୍ଷରେ ଏହା ୨୦ କୋଟି ଟଙ୍କା ଟପିଛି। ଏହାବ୍ୟତୀତ ୨୦୧୬ରୁ ଜଙ୍ଗଲ ନିଆଁ  ପ୍ରତିକାର ନିମନ୍ତେ ଏସଓପି ଜାରି ହୋଇଛି। ମାତ୍ର ଏତେ ସବୁ ଗାଇଡଲାଇନ୍ ଓ ଏସଓପି ସତ୍ତେ୍ୱ ଜଙ୍ଗଲ ନିଆଁ କୁଆୟତ୍ତ କରାଯାଇ ପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ପ୍ରସଙ୍ଗକୁ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବିଜେପି ତରଫରୁ ଉଠାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଏଥିସହ ବହୁଶୀଘ୍ର ରାଜ୍ୟ ବିଜେପିର ୩ଟି ଭିନ୍ନ ଭିନ୍ନ ଦଳ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଜଙ୍ଗଲ, ବନ୍ୟପ୍ରାଣୀ, ବନ୍ୟ ସଂପଦର ସୁରକ୍ଷା ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପର ସମୀକ୍ଷା କରିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ବିଧାୟକ ସୁବାଷ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ଜଙ୍ଗଲରେ ନିଆଁ ଲଗାନ୍ତି ଏବଂ ଆଉ ଗୋଟିଏ ବିଭାଗ ସେହି ନିଆଁକୁ ଲିଭାନ୍ତି। କେନ୍ଦୁପତ୍ର ବିଭାଗ ନିଆଁ ଲଗାଉଥିବାବେଳେ ଜଙ୍ଗଲ ବିଭାଗ ନିଆଁ ଲିଭାନ୍ତି। ମାତ୍ର ବର୍ତ୍ତାମାନ ସୁଦ୍ଧା ରାଜ୍ୟ ସରକାର ଜଙ୍ଗଲରେ ନିଆଁ ଲିଭାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ସେହିଭଳି ଅନ୍ୟତମ ବିଧାୟକ ପ୍ରକାଶ ସୋରେନ ଅଭିଯୋଗ କରିଛନ୍ତି ଯେ କାମ୍ପା ଫଣ୍ଡରେ ହୋଇଥିବା ଦୁର୍ନୀତିକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନିଜେ ଜଙ୍ଗଲରେ ନିଆଁ ଲଗାଉଛନ୍ତି।