ଓଡ଼ିଶା କ୍ୟାଡର ଆଇଏଏସ୍, ଆଇପିଏସଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

୪ ରାଜ୍ୟ, ୧ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶର ଚାରି ରାଜ୍ୟ ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୮୨୪ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୨୭ରୁ ମତଦାନ ହୋଇ ଏପ୍ରିଲ ୨୯ରେ ସରିବ। ମଇ ୨ରେ ଭୋଟ୍ ଗଣତି ହେବ। ଏଥିପାଇଁ ଓଡ଼ିଶା କ୍ୟାଡର ଆଇଏଏସ୍ ଓ ଆଇପିଏସଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆvoteଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଓଡ଼ିଶା କ୍ୟାଡର ଆଇଏଏସମାନେ ହେଉଛନ୍ତି ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ଧନଞ୍ଜୟ ହେମ୍ବ୍ରମ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ, ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ସଚିବ ସୁନୀଲ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ବେଣୁଧର ବେହେରା, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ। ସେହିପରି କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଠ, ଏସଏସଇପିଡି ବିଭାଗର କମିଶନର ତଥା ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, କୃଷି ନିର୍ଦ୍ଦେଶକ ଏମ ମୁଥୁକୁମାର, ଶ୍ରମ କମିଶନର ଏନ୍. ଥିରୁମାଲା ନାୟକ, ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ. ଜି, ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପବିତ୍ର ମଣ୍ଡଳ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ରାମକୃଷ୍ଣ ସାହୁ।
ଅନ୍ୟପକ୍ଷରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ଓଡ଼ିଶା କ୍ୟାଡର ଆଇପିଏସମାନେ ହେଉଛନ୍ତି ଅସିତ କୁମାର ପାଣିଗ୍ରାହୀ,ସଞ୍ଜୀବ ପଣ୍ଡା, ହିମାଂଶୁ କୁମାର ଲାଲ, ସତ୍ୟଜିତ୍ ନାୟକ, ଅଶ୍ୱିନୀ କୁମାର, କେ. ନୀତି ଶେଖର, ସଫିନ ଅହମ୍ମଦ। ଏହି ଆଇଏଏସ୍ ଓ ଆଇପିଏସଙ୍କୁ ଆସନ୍ତା ୧୧ ତାରିଖ ସୁଦ୍ଧା ନିର୍ବାଚନ ହେଉଥିବା ରାଜ୍ୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନିଜ ଦାୟିତ୍ୱରେ ଥିବା ନିର୍ବାଚନ କ୍ଷେତ୍ରରେ ଭ୍ରମଣ କରି ଆଗୁଆ ରିପୋର୍ଟ ପ୍ରସ୍ତୁତ କରିବେ। ଉକ୍ତ ଅନୁଧ୍ୟାନ ରିପୋର୍ଟ ସେମାନେ ଭାରତର ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବେ। ଏଥିରେ ଯେମିତି ଖିଲାପ ନହୁଏ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।