ଦେବଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତି ଭୂମି ବିକାଶ ପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ: ମନ୍ତ୍ରୀ ସୁଶାନ୍ତ ସିଂ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ବେଶ୍ ଯତ୍ନବାନ ଥିବା ଆଜି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ ଅବସରରେ ପ୍ରକାଶ କରିଛନ୍ତି ରାଜ୍ୟ ଶ୍ରମ ନିୟୋଜନ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାୟଲେସିସ ସେଣ୍ଟର ସ୍ଥାପନ ପାଇଁ ଜିଲ୍ଲାର ଜନ ସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ ଆଜି ମନ୍ତ୍ରୀ ଶ୍ରୀ ସିଂ ଦେବଗଡ଼ ଜିଲ୍ଲା ଗସ୍ତ ଅବସରରେ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଡାୟଲେସିସ ସେଣ୍ଟର ସ୍ଥାପନ ପାଇଁ ଭିତ୍ତି ଭୂମି ନିରୀକ୍ଷଣ କରିବା ସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସେହିପରି ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀଙ୍କ ସହ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପୋଷ୍ଟମର୍ଟମ ସେଣ୍ଟରରେ ବିଜୁଳି ଓ ପାଣିର ଅସୁବିଧାଥିବା ଜାଣିବା ପରେ ଯଥା ଶୀଘ୍ର ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଦେବଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଉନ୍ନତି କ୍ଷେତ୍ରରେ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଉଥିବା ପ୍ରକାଶ କରିଥିଲେ।

ଏହି ଆଲୋଚନା ବେଳେ ଏଡିଏମଓ ମେଡିକାଲ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଭେଷଜ ବିଶେଷଜ୍ଞ ଡାକ୍ତର ମନୋରଞ୍ଜନ ସାମଲ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଉମେଶ ପ୍ରସାଦ ଷଡ଼ଙ୍ଗୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକ ଯତୀନ ଭୈନ୍ସା, ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନ, ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ବିଜେଡି ନଗର ସଭାପତି ଶୁକଦେବ ଭଞ୍ଜ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ବରିଷ୍ଠ କର୍ମୀ ସତ୍ୟନାରାୟଣ ପାଣିଙ୍କ ସମେତ ବହୁ ଜନସାଧାରଣ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।