ବହୁପ୍ରତିକ୍ଷିତ ଟ୍ରକ ଟର୍ମିନାଲର ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରର ଟ୍ରକ ଟର୍ମିନାଲ ଏକ ବହୁ ପ୍ରତିକ୍ଷିତ ପ୍ରକଳ୍ପ। ଏହାକୁ ନେଇ ଅନେକ ଦିନର ଦାବି ତଥା ପରିକଳ୍ପନା ରହିଥିଲା। ୯କୋଟି ୪୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଏଠାକାର ଟ୍ରାଫିକ ସହିତ ମାଲ ପରିବହନ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବ। ଟ୍ରାଫିକ ତଥା ଅଂଚଳର ବ୍ୟବସାୟ ଦିଗରେ ଏହା ଏକ ବେଶ ଉପଯୋଗି ପ୍ରକଳ୍ପ ବୋଲି ଆଜି ଟିଟିଲାଗଡ ରୋଡ ସ୍ଥିତ ବିଜାଖମନର ରାସ୍ତା କଡରେ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲ ଭିତ୍ତି ପ୍ରସ୍ତର ଉତ୍ସବରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଏହି ଗୋଟିଏ ଟ୍ରକ ଟର୍ମିନାଲ ଏଠାରେ ଥିବା ସମସ୍ତ ଟ୍ରାଫିକ ସମସ୍ୟାର ସମାଧାନ କରିନପାରେ ସେଥିପାଇଁ ବଲାଙ୍ଗିର ସହରରେ ଥିବା ଟ୍ରକ ମାନଙ୍କ ପାଇଁ ଆଉ ଏକ ଟର୍ମିନାଲର ଆବଶ୍ୟକତା ରହିଛି। ଏହାକୁ ନେଇ ଅନେକ ଥର ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ସରିଛି। ଏଦିଗରେ ମଧ୍ୟ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଟ୍ରକ ଟର୍ମିନାଲରେ ଟ୍ରକ ତଥା ଡ୍ରାଇଭର ଓ ମାଲିକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ଏଠାରେ ଅନେକ ଦୋକାନ, କାର୍ଯ୍ୟାଳୟ, ଡ୍ରାଇଭର ତଥା କର୍ମଚାରୀଙ୍କ ପାଇଁ ଡର୍ମିଟୋରି, ଢାବା ବା ହୋଟେଲ ବ୍ୟବସ୍ଥା, ଟ୍ରକ ମରାମତି ୟୁନିଟ, ଉଭୟ ମହିଳା ଓ ପୁରୁଷ ଶୌଚାଳୟ ବ୍ୟବସ୍ଥା ରହିଛି।

ଏତଦବ୍ୟତୀତ ପରିସର ଭିତରେ ଏକ ଡିଜେଲ ପମ୍ପର ବ୍ୟବସ୍ଥା ମଧ୍ୟ କରାଯିବା ନେଇ ନିଷ୍ପତ୍ତି କରାଯାଇଛି ବୋଲି ଜାତୀୟ ରାଜପଥ ନିର୍ବାହି ଯନ୍ତ୍ରୀ ଜୟନ୍ତ ନାୟକ ସୂଚନା ଦେଇଛନ୍ତି। ଆହୁରି ଏଟାରେ ଏକକାଳୀନ ସମସ୍ତ ସୁବିଧା ସୁଯୋଗ ସହିତ ପ୍ରାୟ ୭୭ଟି ଟ୍ରକ ରହିପାରିବ। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଏଜେନ୍ସି ଏଭିଆର ଇନ୍‌ଫ୍ରାଟେକ ଗତ ଡିସେମ୍ବର ୨୩ରେ ଚୁକ୍ତି ପତ୍ର ସ୍ୱାକ୍ଷରିତ କରିଥିବା ବେଳେ ଏକ ବର୍ଷ ଭିତରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ଉପସ୍ଥିତ ନିର୍ବାହି ଯନ୍ତ୍ରୀ ଜନସାଧାରଣ ଏବଂ ସମ୍ବାଦଦାତାଙ୍କୁ ପ୍ରକାଶ କରିଛନ୍ତି।