ଝାରସୁଗୁଡ଼ା ଗସ୍ତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଝାରସୁଗୁଡ଼ା ଗସ୍ତରେ ଆସି ଦଳୀୟ କର୍ମୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପରୀର ହତ୍ୟାକାଣ୍ଡକୁ ୪ ମାସ ବିତି ଯାଇଥିଲେ ସୁଦ୍ଧା ପୁଲିସ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ ବୋଲି କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି କହିଛନ୍ତି। ଏହା ରାଜ୍ୟ ସରକାରଙ୍କ ବିଫଳତା ଓ ପୁଲିସର ନିଷ୍କ୍ରିୟତକୁ ଦର୍ଶାଉଛି। ଅନ୍ୟପଟେ ପରୀ ପରି ରାଜ୍ୟରେ ଗତ ୨ ବର୍ଷ ମଧ୍ୟରେ ୫ ହଜାର ଶିଶୁ ନିଖୋଜ ହୋଇଛନ୍ତି। ପ୍ରତ୍ୟେକ ଦିନ ୧୨ଜଣ ଶିଶୁ ରାଜ୍ୟରୁ ନିଖୋଜ ହେଉଥିଲେ ସୁଦ୍ଧା ରାଜ୍ୟ ସରକାର ଏହାକୁ ରୋକିବାରେ ବିଫଳ ହେଉଛନ୍ତି। ତେଣୁ ପରୀକୁ ନ୍ୟାୟ ଦେବା ସହ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବା ଦାବିରେ ଆଜିଠାରୁ ଆସନ୍ତା ୧୦ଦିନ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ହେବାକୁ ଥିବା ପଦଯାତ୍ରାରେ ଜିଲ୍ଲାବାସୀ ସାମିଲ ହୁଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ଚାଷୀର ସମସ୍ତ ଧାନକୁ କିଣିବା ପାଇଁ ରାଜ୍ୟ ସରକାରଙ୍କୁ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ଯୋଗାଇ ଦେଉଛି। ଦେଶର କୃଷକ ସହ ସବୁବେଳେ ବିଜେପି ରହିଛି। ତେଣୁ ନୂତନ କୃଷି ଆଇନର ଉପକାରିତା ବିଷୟରେ ଗାଁ ଗାଁରେ ପ୍ରତ୍ୟେକ ଚାଷୀଙ୍କୁ ଅବଗତ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବା ଉଚିତ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ସଭାପତି ମଙ୍ଗଳ ସାହୁ ଓ ସୁନି ପଣ୍ଡା ପ୍ରମୁଖଙ୍କ ସହ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ।