ଗ୍ରେଡ଼ ପେ’ ବୃଦ୍ଧି ଦାବୀରେ ଏସଏସବି ଅଧ୍ୟାପକଙ୍କ କଳାବ୍ୟାଚ ପରିଧାନ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ଷ୍ଟେଟ୍ ସିଲେକ୍ସନ ବୋର୍ଡ ଦ୍ୱାରା ନିଯୁକ୍ତ ହୋଇଥିବା ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଗ୍ରେଡ଼ ପେ’ ବୃଦ୍ଧି ଦାବୀରେ ନିଜର ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦନ କରି ଗତ ଗୁରୁ ଦିବସରୁ କଳା ବ୍ୟାଚ୍ ପରିଧାନ ପୂର୍ବକ ପ୍ରତୀକାତ୍ମକ ପ୍ରତିବାଦ କରି ଆସୁଛନ୍ତି । ଓଡ଼ିଶା ଷ୍ଟେଟ୍ ସିଲେକ୍ସନ ବୋର୍ଡ ଅଧ୍ୟାପକ ସଂଘର ମିଳିତ ନିଷ୍ପତ୍ତି ଅନୁସାରେ ନବରଙ୍ଗପୁର ମହାବିଦ୍ୟାଳୟ ଓ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଏସଏସବି ଅଧ୍ୟାପକ-ଅଧ୍ୟାପିକାମାନେ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ର ସମ୍ମୁଖରେ ନିରବତା ଅବଲମ୍ବନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରି ଆସୁଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଖାଲିଥିବା ଅଧ୍ୟାପକ ପଦ ପୂରଣ କରାଯାଇ ପ୍ରାୟ ୩ ହଜାରରୁ ଊର୍‌ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ଦିଆଯାଇଥିଲା ।ମାତ୍ର ଏହି ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ୪,୬୦୦ ଗ୍ରେଡ଼ ପେ’ ମିଳୁଥିବାରୁ ଏହାକୁ ୫,୪୦୦କୁ ବୃଦ୍ଧି କରିବା ପାଇଁ ଦୀର୍ଘ ୮ ବର୍ଷ ଧରି ସରକାରଙ୍କ ନିକଟରେ ଦାବୀ କରାଯାଇ ଆସୁଥିଲେ ହେଁ ସରକାର ଏ ଦିଗରେ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଅନୁତାପର ବିଷୟ । କାରଣ ନିକଟରେ ଗଣ ଶିକ୍ଷା ବିଭାଗ ଦ୍ୱାରା ଯୁକ୍ତ ୨ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ପାଇଥିବା ପିଜିଟି(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ)ଙ୍କ ଗ୍ରେଡ ପେ’ ୪,୬୦୦ ଥିବାବେଳେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତ ହୋଇଥିବା ଏସଏସବି ଅଧ୍ୟାପକମାନେ ସ୍ନାତକ ଓ ସ୍ନାତକୋତ୍ତର ପିଲାଙ୍କୁ ଶିକ୍ଷାଦାନ କରୁଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକଙ୍କ ଦରମା ସହିତ ସମାନ ଗ୍ରେଡ଼ ପେ’ ପ୍ରଦାନ କରାଯାଉଥିବାରୁ ସେମାନଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି । ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ଆଧାରରେ ଉଚ୍ଚ ଶିକ୍ଷା ଶ୍ରେଣୀ ଶିକ୍ଷା ଦାନ ନିମନ୍ତେ ନିଯୁକ୍ତି ପାଇଥିଲେ ମଧ୍ୟ ଅଧସ୍ତନ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀର ବେତନ ସହିତ ସମାନ ଦରମା ପାଉଛନ୍ତି । ଏଥିପାଇଁ ସରକାରଙ୍କ ନିକଟରେ ଏସଏସବି ଅଧ୍ୟାପକମାନେ ନିଜର ମୌଳିକ ପ୍ରାପ୍ୟ ଓ ଉଚିତ୍ ସମ୍ମାନ ପାଇବା ପାଇଁ ୪,୬୦୦ ଗ୍ରେଡ଼ ପେକୁ ସଂଶୋଧନ କରି ୫,୪୦୦କୁ ବୃଦ୍ଧି କରିବା ଲାଗି ବାରମ୍ବାର ଦାବୀ କରି ଆସୁଥିଲେ ହେଁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ନଦେବା ଶିକ୍ଷକ ସମାଜକୁ ନିରାଶ କରିଛି । ଏସଏସବି ଅଧ୍ୟାପକଙ୍କ ନାର୍ଯ୍ୟ ଦାବୀକୁ ସରକାର ଖୁବଶୀଘ୍ର ପୂରଣ ନ କଲେ ଆଗାମୀ ଦିନରେ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ନବରଙ୍ଗପୁର ଶାଖାର ଜିଲ୍ଲା ସଭାପତି ତଥା ନବରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡା. ଜାହାଙ୍ଗୀର ମହମ୍ମଦ ସୂଚନା ଦେଇଛନ୍ତି ।