ସ୍ତ୍ରୀକୁ ହରାଇବା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ଥାନା ନାଉଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ତିଲେଇପଶି ଗ୍ରାମରେ ଆଜି ସକାଳେ ଜଣେ ବୃଦ୍ଧ ପଣସ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ କଳାକାର ମାହାର (୬୧) । ଖବର ପାଇ ରିଆମାଳ ଥାନା ପୁଲିସ ଶବକୁ ଜବତ କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମିଳିଥିବା ରିପୋର୍ଟ ମୁତାବକ, ଗତ ଗୁରୁବାର ସ୍ତ୍ରୀ ଉଦିଆ ମାହାର(୫୭) ଉଚ୍ଚ ରକ୍ତଚାପର ଶିକାର ହୋଇ ଛତାବର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଉଦିଆଙ୍କୁ ଘରକୁ ଅଣାଯିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା । ସ୍ତ୍ରୀ ଏକାଦଶାହ ଓ ନାତିର ଯତ୍ନ କିଭଳି ନେବେ ସେହି ଚିନ୍ତାରେ ଶିକାର ହୋଇ କଳାକାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । କଳାକାରଙ୍କ ବାସଉପେଯାଗୀ ଘର ନ ଥିବାବେଳେ ଓଳି ତଳେ ପଲିଥିନ ଘୋଡ଼ାଇ ଝାଟି ମାଟି କୁଡ଼ିଆରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରୁଥିଲେ । ସ୍ତ୍ରୀର ଏକାଦଶାହ ନ ସରୁଣୁ ସ୍ୱାମୀ ଆତ୍ମହତ୍ୟା କରିବା ଘଟଣା ଜିଲ୍ଲାରେ ଶୋକର ଛାୟା ଖେଳାଇ ଦେଇଛି । ବୃଦ୍ଧ ଦମ୍ପତିଙ୍କ ପୁଅ ପ୍ରଦୀପ ମାହାର(୨୬) ମାନସିକ ରୋଗୀ । ୫ ବର୍ଷ ହେଲା ବୋହୂ ଘର ଛାଡ଼ି ଚାଲି ଯାଇଥିବାବେଳେ ତାଙ୍କର ଏକ ୭ ବର୍ଷର ନାତି ସମ୍ବିତକୁ କଳାକାର ଓ ଉଦିଆ ଖୁବ୍ କଷ୍ଟରେ ଲାଳନପାଳନ କରୁଥିଲେ । ଅନ୍ତର୍ଦ୍ଦୟ ଯୋଜନାରେ ଚାଉଳ, ଭତ୍ତା ଓ ଘର ପାଇଁ ବହୁବାର ଦାବୀ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନଥିଲେ । ବର୍ତ୍ତମାନ ଅସହ୍ୟ ନାତି ସମ୍ପର୍କୀୟଙ୍କ ଘରେ ରହିଛି । ତାର ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ । ଜିଲ୍ଲା ପ୍ରଶାସନ ଓ ଚାଇଲ୍ଡ ଲାଇନ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହୋଇଛି ।