ପାକିସ୍ତାନ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଶ୍ରୀଲଙ୍କା ଦଳ

କଲମ୍ବୋ,ଏଜେନ୍ସି: ଜୁଲାଇ ୧୬ରୁ ଗଲ୍‌ରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଶ୍ରୀଲଙ୍କାର ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ଦଳରେ ସାମିଲ ଥିବା ପ୍ରବୀଣ ଜୟୱିକ୍ରମା, ଲାସିଥ୍ ଏମ୍ବୁଲ୍‌ଦେନିୟା, ଲକ୍ଷିତା ମାନସିଂଘେ ଏବଂ ଚାମିକା କରୁଣାରତ୍ନେଙ୍କୁ ଘୋଷିତ ଦଳରେ ସ୍ଥାନ ମିଳିନାହିିଁ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ପଦାର୍ପଣରେ ୧୨ଟି ୱିକେଟ୍ ନେଇଥିବା ପ୍ରବତ ଜୟସୂରିୟାଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନ ପକ୍କା କରିଛନ୍ତି ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଖେଳିନଥିବା ଅନ୍‌କ୍ୟାପ୍‌ଡ ଦୁନିତ ୱେଲାଲାଗେ ତାଙ୍କ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ଦୁଇଟି ଟେଷ୍ଟ୍ ଖେଳିବାକୁ ଶ୍ରୀଲଙ୍କା ଗସ୍ତରେ ଥିବା ପାକିସ୍ତାନ ଏହା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ୍ ଏକାଦଶ ବିପକ୍ଷରେ କଲମ୍ବୋର କୋଲ୍ଟସ୍ କ୍ରିକେଟ୍ କ୍ଲବ୍ ଗ୍ରାଉଣ୍ଡ୍‌ରେ ଏକ ଅଭ୍ୟାସ ମ୍ୟାଚ୍ ଖେଳିସାରିଛି । ଶ୍ରୀଲଙ୍କା ଏବେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ ପଏଣ୍ଟ୍ ଟେବଲ୍‌ର ତୃତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନ ଚତୁର୍ଥରେ ରହିଛି ।

ଘୋଷିତ ଦଳ: ଦିମୁଥ୍ କରୁଣାରତ୍ନେ (ଅଧିନାୟକ), ପାଥୁମ୍ ନିଶଙ୍କା, ଓଶାଦା ଫର୍ଣ୍ଣାଣ୍ଡୋ, ଆଞ୍ଜେଲୋ ମାଥ୍ୟୁସ୍‌, କୁସାଲ ମେଣ୍ଡିସ୍‌, ଧନଞ୍ଜୟ ଡି’ସିଲ୍‌ଭା, କାମିନ୍ଦୁ ମେଣ୍ଡିସ୍‌, ନିରୋଶନ୍ ଡିକ୍‌ୱେଲା (ୱିକେଟ୍‌କିପର୍‌), ଦୀନେଶ ଚାଣ୍ଡିମଲ୍‌, ରମେଶ ମେଣ୍ଡିସ୍‌, ମହୀଶ ତିକ୍‌ଶାନା, କାସୁନ୍ ରଜିତା, ବିଶ୍ୱ ଫର୍ଣ୍ଣାଣ୍ଡୋ, ଅସୀତା ଫର୍ଣ୍ଣାଣ୍ଡୋ, ଦିଲ୍‌ଶନ୍ ମଧୁଶଙ୍କା, ପ୍ରବତ ଜୟସୂରିୟା, ଦୁନିତ୍ ୱେଲାଲାଗେ ଓ ଜେଫରୀ ଭାଣ୍ଡରସେ ।