ଆଇ୨ୟୁ୨ ବୈଠକକୁ ମୋଦୀଙ୍କ ସମ୍ବୋଧନ: ବିଭିନ୍ନ ପ୍ରକଳ୍ପର ରୋଡ୍‌ମ୍ୟାପ ପ୍ରସ୍ତୁତ ପାଇଁ ଆହ୍ୱାନ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭର୍ଚୁଆଲ ପ୍ଲାଟଫର୍ମରେ ଚାରିଟି ରାଷ୍ଟ୍ରକୁ ନେଇ ନବଗଠିତ ‘ଆଇ୨ୟୁ୨’ର ପ୍ରଥମ ସମ୍ବିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମିଳିତ ଉଦ୍ୟୋଗରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପକୁ ଚିହ୍ନଟ କରିବା ସହ ଏଗୁଡିକର ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି ।

ଶକ୍ତି, ଖାଦ୍ୟ ନିରାପତ୍ତା ସାଙ୍ଗକୁ ବିଶ୍ୱ ଅର୍ଥନୀତିର ବିକାଶ ପାଇଁ ଏଭଳି ରୋଡ୍‌ମ୍ୟାପ୍‌କୁ କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ବୋଲି ମୋଦୀ କହିଛନ୍ତି । ସୂଚନାଯୋଗ୍ୟ ଭାରତ, ଆମେରିକା, ଇସ୍ରାଏଲ ଓ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍‌ସ)କୁ ନେଇ ‘ଆଇ୨ୟୁ୨’ ସଂଗଠନ ଗଠିତ ହୋଇଛି । ଗୁରୁବାର ପ୍ରଥମ ବୈଠକରେ ମୋଦୀଙ୍କ ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟେଆର୍ ଲାପିଦ୍ ଓ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ ଅଲ୍‌-ନାହ୍ୟାନ୍ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଏହି ସଂଗଠନର ନାମକରଣରେ ଇଂରାଜୀରେ ଉଲ୍ଲେଖ କରାଯାଇଥିବା ‘ଆଇ’ ଇଣ୍ଡିଆ ଓ ଇସ୍ରାଏଲକୁ ଏବଂ ‘ୟୁ’ଆମେରିକା ଓ ୟୁଏଇକୁ ବୁଝାଉଛି ।