ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୩୩୮ ଟଙ୍କା, ଅଧିକାର ମାଗିଲେ ପୁଲିସ ମାରୁଛି ଗୁଳି

କଲମ୍ବୋ,ଏଜେନ୍ସି: ଗମ୍ଭୀର ଆର୍ଥିକ ସଂକଟରେ ଫସିଥିବା ଶ୍ରୀଲଙ୍କାର ଅବସ୍ଥା ଦିନକୁ ଦିନ ଆହୁରି ଖରାପ ହେବାକୁ ଯାଉଛି। ରାଜଧାନୀ କଲମ୍ବୋର ସଡ଼କରେ ପ୍ରଦର୍ଶନକାରୀଙ୍କ ଭିଡ ରହୁଛି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥାକୁ ଋଣବୋଝରେ ଏମିତି ବୁଡାଇଛନ୍ତି ଯେ, ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି।

ଶ୍ରୀଲଙ୍କାର ହସ୍‌ପିଟାଲ ଗୁଡ଼ିକରେ ଔଷଧର ସଂକଟ ପରିସ୍ଥିତି ଦେଖାଯାଇଛି। ସରକାରୀ କର୍ମଚାରୀଙ୍କୁ ଅନେକ ମାସ ହେଲା ଦରମା ମିଳିପାରି ନାହିଁ। ବିଗତ ଏକ ମାସ ହେବ ପେଟ୍ରୋଲ-ଡିଜେଲ ପାଖାପାଖି ଶେଷ ହୋଇଯାଇଥିଲା। ଏବେ ପ୍ରେଟ୍ରୋଲ ଆସିବାରୁ ଲିଟର ପିଛା ୮୪ ଟଙ୍କା ବଢ଼ାଇ ଦିଆଯାଇଛି। ଏବେ ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୩୩୮ ଟଙ୍କାରେ ମିଳୁଛି।

୧୯୪୮ ପରେ ଶ୍ରୀଲଙ୍କାରେ ଘୋର ଅଭାବ ପରିସ୍ଥିତି ଉପୁଜିଛି। ଦେଶରେ ବିଦେଶୀ ମୁଦ୍ରାର ଅଭାବ ରହିଛି, ଯେଉଁଥି କାରଣରୁ ଖାଦ୍ୟସାମଗ୍ରୀ ଓ ଇନ୍ଧନ ଆମଦାନୀ ହୋଇପାରୁ ନାହିଁ। ଦେଶରେ ଏହି ଅଭାବକୁ ନେଇ ବିଗତ କିଛି ଦିନ ହେବ ପ୍ରଦର୍ଶନ ଜାରି ରହିଛି। ଲୋକେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଆସୁଛନ୍ତି।

ଏହାରି ମଧ୍ୟରେ ରାମବୁକାନାରେ ମଙ୍ଗଳବାର ଅପରାହ୍ନରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ପୋଲିସ ଗୁଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୧୦ ଜଣ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟ କରିଛି। ପ୍ରଦର୍ଶନକାରୀ ଥାନା ଘେରାଉ କରି ପଥରମାଡ଼ କରିଥିଲେ। ଫଳରେ ପୋଲିସ ଉପାୟ ଶୂନ୍ୟ ହୋଇ ଗୁଳି ଚଳାଇଥିଲା।