ଶ୍ରୀଲଙ୍କାରେ ମାସକ ପରେ ପୁଣି ସ୍ଥିତି ବିଗିଡ଼ିଲା, ରାଷ୍ଟ୍ରପତି ମଧ୍ୟରାତ୍ରିରୁ ଜରୁରୀକାଳୀନ ଲାଗୁ ପାଇଁ କଲେ ଘୋଷଣା

କଲମ୍ବୋ,ଏଜେନ୍ସି: ସ୍ୱାଧୀନତା ପରଠାରୁ ସବୁଠାରୁ ଖରାପ ସମୟ ଦେଇ ଦିନ ବିତାଉଥିବା ଶ୍ରୀଲଙ୍କାରେ ପୁଣି ଥରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶୁକ୍ରବାର ମଧ୍ୟରାତ୍ରିଠାରୁ ଜରୁରୀକାଳନୀ ଲାଗୁ ଘୋଷଣା କରିିଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ଶ୍ରୀଲଙ୍କାରେ ଆର୍ଥିକ ସଂକଟ କାରଣରୁ ଜରୁରୀକାଳୀନ ଘୋଷଣା କରାଯାଇଥିଲା। ସେହି ସମୟରେ ଏପ୍ରିଲ ୪ ତାରିଖରେ ଦେଶରେ ଜରୁରୀକାଳୀନ ଘୋଷଣା ହୋଇଥିଲା।

ସେହି ସମୟରେ ଶ୍ରୀଲଙ୍କା କେବଳ ଆର୍ଥିକ ସଂକଟ ନୂହେଁ, ବରଂ ରାଜନୈତିକ ଅସ୍ଥିରତାର ସାମ୍ନା କରିଥିଲା। ବିଗତ ଦିନରେ ବିରୋଧୀ ଦଳ ଦ୍ୱାରା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଅଭିଯୋଗ ଅଣାଯାଇଥିଲା ଯେ, ରାଷ୍ଟ୍ରପତି ଭାବେ ଗୋଟାବାୟା ନିଜର କର୍ତ୍ତବ୍ୟକୁ ସୂଚାରୁ ଭାବେ ପାଳନ କରିନାହାନ୍ତି।

ଅନ୍ୟପଟରେ ମାସକ ପରେ ପୁଣି ଥରେ ଜରୁରୀକାଳନୀ ଲାଗୁ ହେବାରୁ ଶ୍ରୀଲଙ୍କାରେ ଏହାକୁ ବିରୋଧ କରାଯାଇଛି। ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ମାଗିଛନ୍ତି। ପାର୍ଲିୟାମେଣ୍ଟ ପରିସରକୁ ଯାଇଥିବା ସଡ଼କକୁ ଗୁରୁବାର ଠାରୁ ବନ୍ଦ କରାଯାଇଛି। ଏଠାରେ କିଛି ଦିନ ପୂର୍ବରୁ ପୁଲିସ ଦ୍ୱାରା ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଆଇନ୍ ବ୍ୟବସ୍ଥା ଜାରି ରଖିବାକୁ ରାଷ୍ଟ୍ରପତି କଡ଼ା ନିଷ୍ପତ୍ତି ନେଇଛନ୍ତି।