ଆଇପିଏଲ୍‌: ମୁମ୍ବାଇ ଇଣ୍ଡିଆନ୍‌ସର ୨ୟ ବିଜୟ, ଗୁଜରାଟକୁ ୫ ରନ୍‌ରେ ହରାଇଲା ରୋହିତ ବାହିନୀ

ମୁମ୍ବାଇ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର ୫୧ତମ ମ୍ୟାଚ୍ ରୋମାଞ୍ଚକର ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ୫ ରନ୍‌ରେ ପରାସ୍ତ କରିଛି। ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୭୭ ରନ୍ କରିଥିଲା। ଫଳରେ ଗୁଜରାଟକୁ ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ୫ୱିକେଟ୍ ହରାଇ ୧୭୨ ରନ୍‌ରେ ଅଟକିଯାଇଥିଲା। ଗୁଜରାଟ ଆରମ୍ଭରୁ ଭଲ ଖେଳିଥିଲେ ହେଁ, ଶେଷ ପର୍ଯ୍ୟାୟ ବେଳକୁ ଦଳର ଖେଳାଳିମାନେ ଆଉ ୬ ରନ୍ ସଂଗ୍ରହ କରିବାରେ ବିଫଳ ହେବାରୁ ମ୍ୟାଚ୍ ହାତଛଡ଼ା ହୋଇଥିଲା। ପ୍ରାରମ୍ବିକ ବ୍ୟାଟର ଋଦ୍ଧିମାନ ଶାହ ୫୫ ରନ୍‌, ଶୁଭମାନ୍ ଗିଲ ୫୨ ରନ୍ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ୍‌, ସାଈ ସୁଦର୍ଶନ ୧୪ ରନ୍ ଓ ଡାଭିଡ ମିଲର ଅପରାଜିତ ୧୯ ରନ୍ କରିଥିଲେ। ମ୍ୟାଚ୍ ଜିତିବା ପାଇଁ ଗୁଜରାଟ ବହୁ ସଂଘର୍ଷ କରିଥିଲା। କାରଣ ମୁମ୍ବାଇ ମ୍ୟାଚ୍ ଶେଷ ବେଳକୁ ଦମଦାର ବୋଲିଂ କରିଥିଲା।

ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୨ୟ କ୍ରମାଗତ ବିଜୟ ହାସଲ କରିଛି। କିନ୍ତୁ ପୂର୍ବରୁ ଲଗାତାର ୮ଟି ମ୍ୟାଚ ହାରିଛି। ମୁମ୍ବାଇ ଏବେ ପଏଣ୍ଟ ଟେବୁଲର ୧୦ମ ତଥା ଅନ୍ତିମ ସ୍ଥାନରେ ଥିଲାବେଳେ ଲିଗ୍ ପର୍ଯ୍ୟାୟରେ ଆହୁରି ୪ଟି ମ୍ୟାଚ୍ ଖେଳିବ।