ନୂଆଦିଲ୍ଲୀ,ଏଜେନ୍ସି: ବଡ଼ ଆର୍ଥିକ ସଂକଟ ଦେଇ ଦିନ କାଟୁଥିବା ଶ୍ରୀଲଙ୍କାର ଜନତା ଏବେ ଖାଦ୍ୟ-ପେୟ ପାଇଁ ଅସୁବିଧାର ସାମ୍ନା କରୁଛନ୍ତି। ଏଭଳି ଏକ ଅସୁବିଧା ସମୟରେ ଭାରତ ଏକ ଭଲ ପଡୋଶୀ ରାଷ୍ଟ୍ର ଓ ବଡ଼ଭାଇର ଭୂମିକା ତୁଲାଉଛି। ଭାରତ କ୍ରମାଗତ ଭାବେ ଶ୍ରୀଲଙ୍କାକୁ ସହାୟତା ଯୋଗାଇ ଆସୁଛି।
ଭାରତ ପୁଣି ଥରେ ଶ୍ରୀଲଙ୍କାକୁ ବଡ଼ ସହାୟତା ଦେଇଛି। ଜାତୀୟ ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ୧୧ ହଜାର ମେଟ୍ରିକ୍ ଟନ୍ ଚାଉଳର ପ୍ରଥମ ଦଫା ପଠାଇଛି। ଶ୍ରୀଲଙ୍କାକୁ ୧ ବିଲିୟନ ଡଲାର ଭାରତୀୟ ଋଣ ସୁବିଧା ଦିଆଯାଇଛି। ଶ୍ରୀଲଙ୍କାର ଅଧିକାରୀମାନେ ଚାଉଳ ପାଇବା ପରେ ଭାରତ ସରକାର ଓ ଭାରତୀୟ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ, ଅସୁବିଧା ସମୟରେ ଭାରତ ସହୟତାର ହାତ ବଢ଼ାଇଛି।
ଶ୍ରୀଲଙ୍କାକୁ ଆର୍ଥିକ ସଂକଟରୁ ମୁକ୍ତ କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଶ୍ରୀଲଙ୍କା ସରକାରଙ୍କ ମଧ୍ୟରେ ୨୦୨୨ ମାର୍ଚ୍ଚ ୧୭ ତାରିଖରେ ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ ଋଣ ଦିଆଯାଇଛି। ଏହି ଋଣ ବଳରେ ଭାରତରୁ ଶ୍ରୀଲଙ୍କାକୁ ଖାଦ୍ୟ ସାମଗ୍ରୀ ପଠାଯାଉଛି। କେବଳ ଖାଦ୍ୟ ପଦାର୍ଥ ନୁହେଁ। ବରଂ ଭାରତ ସରକାର ଶ୍ରୀଲଙ୍କାକୁ ଇନ୍ଧନ ଓ ଔଷଧ ମଧ୍ୟ ଯୋଗାଇ ଦେଇଛନ୍ତି।