ଘରୋଇ କ୍ରିକେଟରୁ ଶ୍ରୀସନ୍ଥଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ,ଏଜେନ୍ସି: ଘରୋଇ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ବିବାଦୀୟ ଭାରତୀୟ ଫାଷ୍ଟ ବୋଲର ଶ୍ରୀସନ୍ଥ। ଏହାକୁ ନେଇ ସେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଆଇପିଏଲରେ ମ୍ୟାଚରେ ସ୍ପଟ୍‌ ଫିକ୍ସିଂ କରିବା ପରେ ଘରୋଇ ତଥା ଜାତୀୟ ଦଳରୁ ବାଦ ପଡ଼ିଥିଲେ।

ଏହାକୁ ନେଇ ଶ୍ରୀସନ୍ଥ ଟ୍ବିଟ୍‌ କରି ଲେଖିଛନ୍ତି ଯେ, “ମୋ ପରିବାର ମୋ ପରିବାର ଟିମ୍‌ ସଦସ୍ୟ ଏବଂ ଭାରତୀୟଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିବା ମୋ ପାଇଁ ଗର୍ବର ବିଷୟ ଥିଲା। କିନ୍ତୁ ଅତି ଦୁଃଖର ସହ ଓ ବିନା କୌଣସି ପଶ୍ଚାତାପରେ ମୁଁ କହିବାକୁ ଚାହୁଁଛି ଯେ ମୁଁ ଭାରତୀୟ ଘରୋଇ ଫର୍ମାଟରୁ କ୍ରିକେଟରୁ ଅବସର ନେଉଛି।”

୨୦୧୩ ମସିହାରେ ଶ୍ରୀସନ୍ଥଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା ବସିସିଆଇ। ତାଙ୍କ ସହ ରାଜସ୍ଥାନ ରୟାଲ୍ସର ସଦସ୍ୟ ଅଜିତ ଚାଣ୍ଡେଲା ଓ ଅଙ୍କିତ ଚୱାନ ମଧ୍ୟ ସାମିଲ ରହିଥିଲେ। ଏହି ତିନିଜଣଙ୍କ ବିରୋଧରେ ଆଇପିଏଲ୍‌ ମ୍ୟାଚ୍ ବେଳେ ସ୍ପଟ୍‌ ଫିକ୍ସିଂ କରିବା ଅଭିଯୋଗ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରୀସନ୍ଥଙ୍କ ଉପରେ ଥିବା ପ୍ରତିବନ୍ଧକକୁ ୭ ବର୍ଷକୁ କମାଇ ଦିଆଯାଇଥିଲା।

ଗତ ସେପ୍ଟେମ୍ବର ୨୦୨୦ରେ ଏହି ୭ ବର୍ଷ ଅବଧି ପୂରଣ ହୋଇଥିଲା। ୭ ବର୍ଷ ପରେ ସେ କେରଳ ପକ୍ଷରୁ ମୁସ୍ତାକ ଅଲୀ ଟ୍ରଫି ପାଇଁ ୨୦ ଜଣିଆ ଦଳରେ ସ୍ଥାନ ପାଇଥିଲେ। ତେବେ ୨୦୨୧ ଓ ୨୦୨୨ ଆଇପିଏଲ ନିଲାମୀରେ ସେ ସାମିଲ ଥିଲେ ସୁଦ୍ଧା ତାଙ୍କୁ କେହି କିଣିନଥିଲେ।

ମାର୍ଚ୍ଚ ୨୦୦୬ରେ ଶ୍ରୀସନ୍ଥ ଭାରତ ପକ୍ଷରୁ ଟେଷ୍ଟରେ ଡେବ୍ୟୁ କରିଥିଲେ। ସେ ୨୭ଟି ଟେଷ୍ଟ ମ୍ୟାଚ ଖେଳି ୮୭ଟି ୱିକେଟ ହାସଲ କରିଥିଲେ। ଏଥି ସହିତ ୨୮୧ ରନ୍‌ ମଧ୍ୟ କରିଛନ୍ତି। ସେହିଭଳି ସେ ଭାରତ ପକ୍ଷରୁ ୫୩ଟି ଦିନିକିଆ ମ୍ୟାଚ୍‌ ଖେଳି ୭୫ଟି ୱିକେଟ ହାସଲ କରିଛନ୍ତି। ସେ ୧୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳି ୭ଟି ୱିକେଟ ହାସଲ କରିଛନ୍ତି।