ଇଣ୍ଡିଆନ୍ ୱିମେନ୍ସ ଲିଗ୍ ଫୁଟ୍‌ବଲ୍‌: ସ୍ପୋର୍ଟ୍ସ ଓଡ଼ିଶା ବିଜୟୀ, ଓଡ଼ିଶା ପୁଲିସ୍ ପରାସ୍ତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ଇଣ୍ଡିଆନ୍ ୱିମେନ୍ସ ଲିଗ୍‌ରେ ରବିବାର ଓ ସୋମବାର ଖେଳାଯାଇଥିବା ମୁକାବିଲାଗୁଡ଼ିକରେ ସ୍ପୋର୍ଟ୍ସ ଓଡ଼ିଶା ବିଜୟୀ ହୋଇଥିବା ବେଳେ ଓଡ଼ିଶା ପୁଲିସ୍ ପରାଜୟ ବରଣ କରିଛି। ରବିବାର ଖେଳାଯାଇଥିବା ମୁକାବିଲାରେ ସ୍ପୋର୍ଟ୍ସ ଓଡ଼ିଶା ପିଆଇଏଫ୍‌ଏ ସ୍ପୋର୍ଟ୍ସ ଏଫ୍‌ସିକୁ ୩-୦ରେ ପରାସ୍ତ କରିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଉକ୍ତ ମୁକାବିଲାରେ ସ୍ପୋର୍ଟ୍ସ ଓଡ଼ିଶା ପକ୍ଷରୁ ସୁଭଦ୍ରା ସାହୁ ଡବଲ୍ ଗୋଲ୍ ଦେଇଥିଲେ। ସେ ୬୧ତମ ଓ ୬୬ତମ ମିନିଟ୍‌ରେ ଏହି ଗୋଲ୍ ଦୁଇଟି ସ୍କୋର୍ କରିଥିଲେ। ଏହା ପୂର୍ବରୁ ମ୍ୟାଚ୍‌ର ପଞ୍ଚଦଶ ମିନିଟ୍‌ରେ ଯଶୋଦା ମୁଣ୍ଡା ପ୍ରଥମ ଗୋଲ୍‌ଟି ଦେଇ ସ୍ପୋର୍ଟ୍ସ ଓଡ଼ିଶାକୁ ୧-୦ରେ ଆଗୁଆ କରାଇଥିଲେ। ସୁଭଦ୍ରା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେହିପରି ସୋମବାର ସପ୍ତମ ବାଟାଲିୟନ୍‌ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ପୁଲିସ୍ କିକ୍‌ଷ୍ଟାର୍ଟ ଏଫ୍‌ସିଠାରୁ ୦-୨ରେ ପରାସ୍ତ ହୋଇଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ ଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଦୁଇଟି ଗୋଲ୍ ସ୍କୋର୍ କରି କିକ୍‌ଷ୍ଟାର୍ଟ ବିଜୟୀ ହୋଇଛି। ମ୍ୟାଚ୍‌ର ୫୩ତମ ମିନିଟ୍‌ରେ ଇରୋମ୍ ପରମେଶ୍ୱରୀ ଦେବୀ ଓ ୫୫ତମ ମିନିଟ୍‌ରେ ୱାଇ. କିରନ୍‌ବାଳା ଚାନୁ ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ। ଓଡ଼ିଶା ପୁଲିସ୍ ପରାସ୍ତ ହୋଇଥିଲେ ମଧ୍ୟ ଦଳର ଗୋଲ୍‌କିପର୍ ଚମତ୍କାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

ଏହାଛଡ଼ା ସୋମବାର କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଏଆର୍‌ଏ ଏଫ୍‌ସି ହାନ୍ସ ୱିମେନ୍ ଏଫ୍‌ସିକୁ ୩-୦ ଗୋଲ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ଟିରେ ଏଆର୍‌ଏ ଏଫ୍‌ସି ପକ୍ଷରୁ ମନୀଷା ଦୁଇଟି ଓ ନିଶା ଗୋଟିଏ ଗୋଲ୍ ଦେଇଥିଲେ। ଦଶମ ମିନିଟ୍‌ରେ ମନୀଷା ଏଆର୍‌ଏକୁ ୧-୦ରେ ଆଗୁଆ କରାଇଥିବା ବେଳେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଦଳ ଏହାକୁ କାଏମ ରଖିପାରିଥିଲା। ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍‌ର ୫୮ତମ ମିନିଟ୍‌ରେ ନିଶା ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ। ପରେ ୮୯ତମ ମିନିଟ୍‌ରେ ମନୀଷା ତାଙ୍କର ଦ୍ୱିତୀୟ ଗୋଲ୍ ଦେଇ ଏଆର୍‌ଏକୁ ୩-୦ରେ ଆଗୁଆ କରାଇଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ମନୀଷାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆହୁରି କଳିଙ୍ଗ ଷ୍ଟାଡିୟମ୍‌ରେ ସୋମବାରର ତୃତୀୟ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ସେଥୁ ମଦୁରାଇ ୫-୦ ଗୋଲ୍‌ରେ ସିର୍ବୋଡେମ୍ ସ୍ପୋର୍ଟ୍ସ କ୍ଲବ୍‌କୁ ପରାସ୍ତ କରିଛି। ଏଥିରେ ରେଣୁ ରାଣୀ ଓ ଦେବନୀତା ରୟ ଦୁଇଟି ଲେଖାଏଁ ଗୋଲ୍ ଦେଇଛନ୍ତି। ଷୋଡ଼ଶ ଓ ୨୨ତମ ମିନିଟ୍‌ରେ ରେଣୁ ଏବଂ ୬୬ତମ ଓ ୯୦+୧ତମ ମିନିଟ୍‌ରେ ଦେବନୀତା ଗୋଲ୍ ସ୍କୋର୍ କରିଛନ୍ତି। ରେଣୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ସେହିପରି ରବିବାର ସପ୍ତମ ବାଟାଲିୟନ୍‌ଠଶରେ ଇଣ୍ଡିଆନ୍ ଆରୋଜ୍ ୨-୦ରେ ଏସ୍‌ଏସ୍‌ବି ୱିମେନ୍ ଏଫ୍‌ସିକୁ ପରାସ୍ତ କରିଛି। ଉକ୍ତ ମ୍ୟାଚ୍‌ରେ ୫୧ତମ ମିନିଟ୍‌ରେ ସୁନୀତା ମୁଣ୍ଡା ଓ ୫୬ତମ ମିନିଟ୍‌ରେ ଅପୂର୍ଣ୍ଣା ନାର୍ଜାରି ଗୋଲ୍ ଦେଇଥିଲେ। ଅପୂର୍ଣ୍ଣାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ତା’ଛଡ଼ା ରବିବାର କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍‌ରେ ଗୋକୁଲମ୍ କେରଳ ଏଫ୍‌ସିକୁ ମାତା ରୁକ୍ମଣୀ ଏଫ୍‌ସି ଭେଟିଥିଲା। ଏହି ମ୍ୟାଚ୍‌ରେ ଗୋକୁଲମ୍ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ୮-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଇ. ଆଚିମ୍‌ପୋଙ୍ଗ୍ ହ୍ୟାଟ୍ରିକ୍ ଗୋଲ୍ ଦେଇଥିଲେ। ସେ ଊନବିଂଶ ମିନିଟ୍‌ରେ ତାଙ୍କର ପ୍ରଥମ, ୨୫ତମ ମିନିଟ୍‌ରେ ଦ୍ୱିତୀୟ ଓ ୨୮ତମ ମିନିଟ୍‌ରେ ତୃତୀୟ ଗୋଲ୍ ସ୍କୋର୍ କରିଥିଲେ। ଏହାଛଡ଼ା ସୌମ୍ୟା ଗୁଗୁଲୋଥ୍ ମଧ୍ୟ ଦୁଇଟି ଗୋଲ୍ ଦେଇଥିଲେ। ସେ ସପ୍ତଦଶ ମିନିଟ୍‌ରେ ଓ ୩୮ତମ ମିନିଟ୍‌ରେ ଏହି ଗୋଲ୍ ଦେଇଥିଲେ। ଆହୁରି ତୃତୀୟ ମିନିଟ୍‌ରେ ମନୀଷା କଲ୍ୟାଣ, ୬୬ତମ ମିନିଟ୍‌ରେ ମନସା କେ. ଓ ୮୫ତମ ମିନିଟ୍‌ରେ ଜ୍ୟୋତି ଅନ୍ୟ ଗୋଲ୍‌ଗୁଡ଼ିକ ସ୍କୋର୍ କରିଥିଲେ। ପ୍ରତିଯୋଗିତାରେ ପରବର୍ତ୍ତୀ ମୁକାବିଲାଗୁଡ଼ିକ ଆସନ୍ତା ଗୁରୁବାର ଖେଳାଯିବ।