ଭାରତ-ଶ୍ରୀଲଙ୍କା ୨ୟ ଟି-୨୦ ଆଜି: ଧର୍ମଶାଳାରେ ମୁକାବିଲା, ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଧର୍ମଶାଳା,ଏଜେନ୍ସି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ୨ୟ ମ୍ୟାଚ ଖେଳାଯିବ। ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଏହି ମୁକାବିଲା ହିମାଚଳ ପ୍ରଦେଶର ଧର୍ମଶାଳାରେ ହେବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବାକୁ ନେଇ ଉଭୟ ଘରୋଇ ଓ ଅତିଥି ଟିମ୍ ଉତ୍ସାହିତ ଅଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ ରହିବାକୁ ଚାହିଁବ। ଅପରପକ୍ଷେ ଶ୍ରୀଲଙ୍କା ଟିମ୍ ମ୍ୟାଚରେ ବିଜୟୀ ହୋଇ ଶୃଙ୍ଖଳାକୁ ସମାନ ସ୍ତରକୁ ଆଣିବାକୁ ଉଦ୍ୟମ କରିବ।

ଭାରତୀୟ ଟିମ୍ ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ରରେ ମଜବୁତ ଥିବାରୁ ଧର୍ମଶାଳାରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ ଅଛନ୍ତି। ଗତ ୨୪ ତାରିଖରେ ଉତ୍ତର ପ୍ରଦେଶର ଲଖନଉସ୍ଥିତ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତ ୨ୱିକେଟ ହରାଇ ୧୯୯ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୬ଟି ୱିକେଟ ହରାଇ ୧୩୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଅତିଥି ଦଳର ଖେଳାଳିମାନେ ଭାରତୀୟ ବୋଲରଙ୍କୁ ସଫଳତାର ସହିତ ମୁକାବିଲା କରିପାରି ନଥିଲେ। ଫଳରେ ୬୨ ରନ୍‌ରେ ମ୍ୟାଚ୍ ହାରିଥିଲେ।