ପୋଲିସ ପାଟ୍ରୋଲିଂ ଜିପକୁ ଧକ୍କା ଦେଲା କାର: ଏସଆଇ ମୃତ, ୩ କନଷ୍ଟେବଳ ଆହତ

ଲକ୍ଷ୍ନୌ,ଏଜେନ୍ସି: ପାଟ୍ରୋଲିଂ ବେଳେ ପୋଲିସ ଜିପକୁ ଧକ୍କା ଦେଲା କାର। ଦୁର୍ଘଟଣାରେ ଜଣେ ସବ୍-ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ କନଷ୍ଟେବଳ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶ ମଥୁରାର ରାଜୀବ ଚୌକ ଗୋବର୍ଦ୍ଧନ ସହର ନିକଟରେ ଘଟିଛି ଏହି ଦୁର୍ଘଟଣା।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୨୧ ବର୍ଷର ଶେଷ ରାତି ଅର୍ଥାତ ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଗୋବର୍ଦ୍ଧନ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ପୋଲିସ ଜିପକୁ ଏକ କାର ଧକ୍କା ଦେଇଥିଲା। ଏହି ଘଟଣାରେ ଜଣେ ଏସଆଇଙ୍କ ସମେତ ୪ ଜଣ ପୋଲିସ କର୍ମୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସବ-ଇନ୍ସପେକ୍ଟର ରାମ କିଶନଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ଘଟଣା ପରେ କାର ଛାଡି ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ତେବେ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ।