ଭିଜିଲାନ୍ସ ଜାଲରେ ବଲାଙ୍ଗିର ସ୍ପେଶାଲ୍‌ ପ୍ଲାନିଂ ଅଫିସର୍‌

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସ୍ପେଶାଲ୍‌ ପ୍ଲାନିଂ ଅଫିସର‌ ଜୀବଦିଶ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଦର୍ଶପଡ଼ା ସ୍ଥିତ ତାଙ୍କ ଘର, ସମ୍ପର୍କୀୟଙ୍କ ଘର, କଲେଜ ଛକ ସ୍ଥିତ ଅଫିସ୍‌ ଏବଂ ପୁଇଁନ୍ତଲା ବ୍ଲକ୍‌ ଶିକାବାହେଙ୍ଗା ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଛି। ସମ୍ବଲପୁର, ସୋନପୁର ଏବଂ ବଲାଙ୍ଗିର ଭିଜିଲାନ୍ସ ବିଭାଗର ୩ଟି ଟିମ୍‌ ଚଢ଼ଉରେ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଜୀବଦିଶ ପାତ୍ରଙ୍କ ସମ୍ପତ୍ତି ଯଥା:- ନଗଦ ଟଙ୍କା, ସୁନା, ବ୍ୟାଙ୍କ ଆକାଉଣ୍ଟ, ଇନସ୍ୟୁରାନ୍ସ କାଗଜପତ୍ର ଆଦିର ଯାଞ୍ଚ କରୁଛି। ବର୍ତ୍ତମାନ ସୁଦ୍ଧା ଚଢ଼ଉ ଜାରି ରହିଥିବାରୁ ଏ ସମ୍ପର୍କିତ ସବିଶେଷ ତଥ୍ୟ ମିଳିପାରି ନାହିିଁ।