ଢେଙ୍କାନାଳ,ଏନ୍ଏନ୍ଏସ୍: ମାତ୍ର ୨୦ ପଇସାରେ ବାଇକ ଗଡିବ ଏକ କିଲୋମିଟର। ପେଟ୍ରୋଲର ମହଙ୍ଗା ମାଡ ସାଙ୍ଗକୁ ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ଏ ବାଇକର ଚାହିଦା ବଢୁଥିବା ବେଳେ ଢେଙ୍କାନାଳ ସ୍ଥିତ ସିନେର୍ଜି ବୈଷୟିକ ପ୍ରତିଷ୍ଠାନର ମେକାନିକାଲ ଓ ଇଲେକ୍ଟ୍ରିକାଲ ଡିପ୍ଲୋମା ୩ୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରସ୍ତୁତ କରିଛନ୍ତି ଏଭଳି ଏକ ଇ-ବାଇକ୍। ସିନର୍ଜୀ ପତିଷ୍ଠାନ ପରିସରରେ ଆୟୋଜିତ ଶନିବାର ଏହି ଇ-ବାଇକର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ଏହାକୁ ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ଉପସ୍ଥିତ ଥିବା ପ୍ରତିଷ୍ଠାନର ପରିଚାଳନା କମିଟି ଆଧ୍ୟକ୍ଷ ବିନୋଦ ଦାଶ ଏହି ଇ-ବାଇକ ସମ୍ପର୍କରେ ସୂଚନା ଦେଇଛନ୍ତି। ବାଇକଟି ଏକ କିଲୋମିଟର ଗଡ଼ିବା ପାଇଁ ମାତ୍ର ୨୦ ପଇସା ଖର୍ଚ୍ଚ ହେବ। ଏକ ହଜାର ୱାଟ ମୋଟର ଓ ୪୮ ଭୋଲ୍ଟ ଲିଥିୟମ ବ୍ୟାଟେରୀ ବିଶିଷ୍ଟ ଏହି ବାଇକ ଗୋଟିଏ ଥର ଚାର୍ଜରେ ୯୫ରୁ ୧୦୫ କିଲୋମିଟର ଯାଇପାରିବ। ଏହି ଇ-ବାଇକର ମୂଲ୍ୟ ଗ୍ରାହକଙ୍କୁ ଶୋ’ରୁମରେ ମାତ୍ର ୮୦ରୁ ୯୦ ହଜାର ଟଙ୍କାରେ ମିଳିଯାଇ ପାରିବ ବୋଲି ଜଣାପଡିଛି। ଯାହାକି ବଜାରରେ ଏହି ସିନର୍ଜୀ ଇ-ବାଇକ ଚାହିଦା ସୃଷ୍ଟି କରିପାରିବେ ବୋଲି ଆଶା କରାଯାଇଛି।