ଶ୍ରୀନଗର,ଏଜେନ୍ସି: ପ୍ରସିଦ୍ଧ ଅମରନାଥ ଯାତ୍ରା ଜାରି ରହିଥିବା ବେଳେ ଗତକାଲି ଭୂସ୍ଖଳନ ଫଳରେ ଯାତ୍ରା ମାର୍ଗରେ ଥିବା ଦୁଇ ପୋଲ ଭୁଶୁଡି ପଡିଥିଲା। ବାଲତାଲ ଅଞ୍ଚଳର ବ୍ରାରିମାର୍ଗରେ ଥିବା ଦୁଇ ପୋଲ ଭୁଶୁଡି ପଡିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଯାତ୍ରାରେ କୌଣସି ବାଧାସୃଷ୍ଟି ହେବା ପୂର୍ବରୁ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ମାତ୍ର ଗୋଟିଏ ରାତିରେ ମରାମତି କରିଛି ଭାରତୀୟ ସେନା।
ଅକ୍ଳାନ୍ତ ପରିଶ୍ରମ କରି ମାତ୍ର ଗୋଟିଏ ରାତିରେ ସେନାର ପ୍ରଶିକ୍ଷିତ ଯବାନମାନେ ଏହାକୁ ପୁନଃ ବ୍ୟବହାର ଯୋଗ୍ୟ ଭାବେ ମରାମତି କରିବାରେ ସଫଳ ହୋଇଛନ୍ତି। ପୋଲ ତଳେ ପ୍ରଖର ସ୍ରୋତରେ ଜଳ ପ୍ରବାହିତ ହୋଉଥିବା ବେଳେ ସାରା ରାତି ଯବାନମାନେ ପୋଲ ନିର୍ମାଣରେ ଲାଗିଥିବା ଏକ ଭିଡିଓ ମଧ୍ୟ ସେନା ପକ୍ଷରୁ ଜାରି କରାଯାଇଛି।
ଏହି ଭୂସ୍ଖଳନ ଫଳରେ ରାମବାନ ଓ ଉଦ୍ଧମପୁର ଜିଲ୍ଲାରେ ଯାତାୟତ ପ୍ରଭାବିତ ହୋଇଛି। ତେବେ ତୀର୍ଥଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୋଲକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପରେ ଆଜି ସକାଳୁ ଯାତ୍ରାରେ କୌଣସି ସମସ୍ୟା ସାମ୍ନାକୁ ଆସିନାହିଁ। ଦୀର୍ଘ ଦୁଇ ବର୍ଷ ପରେ ଗତ ମାସ ୩୦ ତାରିଖରେ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା। ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ବେସ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମ ବ୍ୟାଚରେ ପ୍ରାୟ ୨,୭୫୦ ଶ୍ରଦ୍ଧାଳୁ ଯାତ୍ରରେ ଅଂଶଗ୍ରହଣ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।