ଟ୍ରେନରୁ ଡେଇଁ ଥିବା ୭ ଗୁଜୁରାଟ ଫେରନ୍ତାଙ୍କୁ ଆଣିବାକୁ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଯୋଗୁଁ ସାରା ଦେଶ ଲକଡାଉନ ପର୍ଯ୍ୟାୟ ଚାଲୁ ରହିଥିବା ବେଳେ ରାଜ୍ୟ ସରକାର ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଅନେକ ବନ୍ଦୋବସ୍ତ କରିବା ସହ ସୋମନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି। ଏହି କ୍ରମରେ ଗତ ୯ ତାରିଖ ଦିନ ଗୁଜୁରାଟ ଅହମ୍ମଦାବାଦରୁ ଶ୍ରମିକ ଏକ୍ସପ୍ରେସ ନାମକ ସ୍ୱତନ୍ତ୍ର ଟ୍ରେନ୍ ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକଙ୍କୁ ନେଇ ଖୋର୍ଦ୍ଧା ଅଭିମୁଖେ ବାହାରିଥିଲା।

ଏହି ଟ୍ରେନଟି ଗତକାଲି ସନ୍ଧ୍ୟାରେ ଅନଗୁଳ ଜିଲ୍ଲାର ମଝିକା ନିକଟରେ ପହଞ୍ଚିବା ପରେ ଟ୍ରେନରେ ଥିବା କେତେକ ପ୍ରବାସୀ ଓଡ଼ିଆ ଟ୍ରେନ ଚେନ ଟାଣିବାରୁ ଟ୍ରେନଟି ମନ୍ଥର ଗତି ହୋଇଯାଇଥିଲା। ଏହାର ସୁଯୋଗ ନେଇ ୭ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଡେଇଁପଡ଼ିଥିଲେ। ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଘେରିଯାଇ ଅଟକ ରଖିବା ସହ ଅନୁଗୁଳ ଥାନା ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଅନଗୁଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ୱାର ଅଟକ ଯୁବକମାନଙ୍କୁ ପଚରା ଉଚୁରା ବେଳେ ସେମାନେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପୁରମୁଣ୍ଡା ଗ୍ରାମର ଆନନ୍ଦ ସେଣ୍ଢଙ୍କ ପୁଅ ମୁନା ସେଣ୍ଢ(୨୦), ଉକ୍ତ ଗ୍ରାମର କରୁଣାକର ସେଣ୍ଢଙ୍କ ପୁଅ ମନୋଜ ସେଣ୍ଢ(୨୦), କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ଗ୍ରାମର ବାବୁଲି ଦେହୁରୀଙ୍କ ପୁଅ ରାଜୁ ଦେହୁରୀ(୨୦), ମଣ୍ଟୁ ଦେହୁରୀଙ୍କ ପୁଅ ସିପୁନ ଦେହୁରୀ(୨୨), ଖେଡୁ ସେଠୀଙ୍କ ପୁଅ ଆଲୋକ ସେଠୀ(୨୧), ଉତ୍ସବ ସାହୁଙ୍କ ପୁଅ କାଳିଆ ସାହୁ(୨୪) ଓ ବାରକୋଟ ଥାନା ଅନ୍ତର୍ଗତ ରାଜ ମୁଣ୍ଡା ଗ୍ରାମର ମୁକୁନ୍ଦ ଦେହୁରୀଙ୍କ ପୁଅ ନୀଳାଚଳ ଦେହୁରୀ(୨୦) ବୋଲି ଜଣାପଡ଼ିଛି।

ଅନଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ଆଜି ଦେବଗଡ଼ ଜିଲ୍ଲା ପ୍ରଶାସନ ଓ ଅନଗୁଳ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା କରାଯିବା ପରେ ଦେବଗଡ଼ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ ଅନଗୁଳରୁ ସେମାନଙ୍କ ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦା ପ୍ରକାଶ କରିଛନ୍ତି।