ରକ୍ତାକ୍ତ ଅବସ୍ଥାରେ ବାପଝିଅଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ଏସ୍‌ପି 

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱରର ୧୬ନଂ ଜାତୀୟ ରାଜପଥରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ବାପ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ଏହି ସମୟରେ ଦେବଦୂତ ସାଜି ବାଲେଶ୍ୱର ଏସ୍‌ପି ଗୁରୁତର ବାପ ଝିଅଙ୍କ ନିକଟରେ ପହଞ୍ଚି ତାଙ୍କୁ ନିଜ ଗାଡିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଏହି ଘଟଣାଟି ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ ଯେ ବାଲେଶ୍ୱର ଜିଲ୍ଲା ସୋର ଥାନା ତୁଡିଗଡିଆ ଅଚ୍ୟୁତିପୁର ଗ୍ରାମରେ କୈଳାସ ଚନ୍ଦ୍ର ସାହୁ ସୋମବାର ତାଙ୍କ ଝିଅଙ୍କୁ କଲେଜରେ ଆଡମିସନ୍ କରାଇବା  ପାଇଁ ଯାଉଥିଲେ । ଏହି ସମୟରେ ଜାତୀୟ ରାଜପଥ ବେଗୁନିଆଠାରେ ଏକ ଅଜଣା ଗାଡି ଧକ୍କାରେ ଉଭୟ ବାପ ଝିଅ ଆହତ ହୋଇ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଏହି ସମୟରେ ବାଲେଶ୍ୱର ଏସ୍‌ପି ବି. ଜୁଗଲ୍ କିଶୋର ସେହି ବାଟ ଦେଇଔପଦାରେ ହେଉଥିବା ଏକ ଜନ ଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିଲେ। ରାସ୍ତାରେ ବାପ ଝିଅଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ସଙ୍ଗେସଙ୍ଗେ ଏସ୍‌ପି ଉଭୟଙ୍କୁ ନିଜ ଗାଡ଼ିରେ ସୋର ଡାକ୍ତରଖାନକୁ ନେଇ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ବାପ ଝିଅ  ସୁସ୍ଥ ଥିବା ଜଣାପଡ଼ିଛି।